Categories: ଜାତୀୟ

ସମୟ ସମୟର କଥା…ଯିଏ ଥିଲେ ମନ୍ତ୍ରୀ ତାଙ୍କୁ ମିଳିବ ଭତ୍ତା ଆଉ ଯାହାଙ୍କର ଯାଇଥିଲା ଏମପି ପଦ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ଦରମା

ନୂଆଦିଲ୍ଲୀ,୨୯।୬: କ୍ଷମତା କେତେବେଳେ କଡ ଲେଉଟାଏ ତାହା କେବଳ ସମୟ ହିଁ କହିଥାଏ। ଲୋକକଥାରେ ଯେମିତି ଅଛି, ଏହା ତ ସମୟ ସମୟର କଥା। କେତେବେଳେ କ’ଣ ପରିବର୍ତ୍ତନ ହେବ। ଏହାର ପ୍ରକୃତ ଉଦାହରଣ ଦେଖିବାକୁ ମିଳିଛି ସ୍ମୃତି ଇରାନୀ ଓ ରାହୁଲ ଗାନ୍ଧୀଙ୍କ ପାଖରେ। ଏବେ ବିରୋଧୀ ଦଳର ନେତା ହୋଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଉ ପୂର୍ବରୁ କ୍ଷମତାରେ ଥିବା ସ୍ମୃତି ଇରାନୀଙ୍କୁ ଏବେ କୁହାଯାଉଛି ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ।

ଚଳିତ ନିର୍ବାଚନରେ ରାହୁଲ ୨ଟି ଆସନରୁ ପ୍ରତିଦ୍ୱନ୍ଦିତା କରିଥିଲେ। ଉତ୍ତରପ୍ରଦେଶର ରାଏବରେଲି ଓ କେରଳର ଓ୍ବାଏନାଡ। ଅନ୍ୟପଟେ ସ୍ମୃତି ଇରାନୀ ଆମେଠିରୁ ଲଢିଥିଲେ। ୨୦୧୯ ନିର୍ବାଚନରେ ରାହୁଲ ଆମେଠିରୁ ଇରାନୀଙ୍କ ସହ ମୁକାବିଲା କରିଥିଲେ। ହେଲେ ସେଠାରୁ ହାରି ଯାଇଥିଲେ। ଏଥର ଆମେଠିରୁ ରାହୁଲଙ୍କୁ ହଟାଯାଇ ଜଣେ ସାଧାରଣ କଂଗ୍ରେସ ନେତାଙ୍କ ସହ ଇରାନୀଙ୍କ ମୁକାବିଲା ହୋଇଥିଲା। ଯେଉଁଥିରେ ସେ ହାରି ଯାଇଥିଲେ। କିନ୍ତୁ ରାହୁଲ ତାଙ୍କର ଦୁଇଟି ଆସନରୁ ପ୍ରଚଣ୍ଡ ବିଜୟ ହାସଲ କରିଥିଲେ।
ରାହୁଲ ଏମପି ହୋସାରିବା ପରେ ଏବେ ଇଣ୍ଡିଆ ମେଣ୍ଟର ସର୍ବସମ୍ମତ୍ତି କ୍ରମେ ବିରୋଧୀ ଦଳ ନେତା ହୋଇଛନ୍ତି। ଏବେ ତାଙ୍କୁ ଏହି ପଦ ଭାବେ ଦରମା ମିଳିବ। କିନ୍ତୁ ଇରାନୀ ହାରିଯାଇଥିବାରୁ ତାଙ୍କ ମନ୍ତ୍ରୀ ପଦ ଯାଇଛି। ଏବେ ତାଙ୍କୁ ଭତ୍ତା ମିଳିବ।

ଗତ ନିର୍ବାଚନ ଓ ଚଳିତ ନିର୍ବାଚନକୁ ଦେଖିଲେ ଲାଗିବ ବାଜି ଏକରକମ ପଲଟି ଯାଇଛି। ୨୦୧୯ରେ ଆମେଠିରୁ ସ୍ମୃତି ଇରାନୀ ଜିତିଥିଲେ। ଆଉ ତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଥିଲା। ରାହୁଲ ଅମେଠିରୁ ହାରି ଯାଇଥିଲେ କିନ୍ତୁ ଓ୍ବାଏନାଡରୁ ଜିତିଥିଲେ। କିନ୍ତୁ ମୋଦି ଉପନାମ ମାମଲାରେ ତାଙ୍କର ଏମପି ପଦ ଚାଲି ଯାଇଥିଲା। ପରେ କୋର୍ଟଙ୍କ ଶୁଣାଣି ପରେ ସେ ସଦସ୍ୟତା ଫେରି ପାଇଥିଲେ।

ହେଲେ ଚଳିତ ନିର୍ବାଚନରେ ସବୁ ବାଜି ପଲଟି ଯାଇଛି। ଏବେ ରାହୁଲ ବିରୋଧୀ ଦଳ ନେତା ହୋଇଛନ୍ତି। ତାଙ୍କୁ କ୍ୟାବିନେଟ ମନ୍ତ୍ରୀଙ୍କ ପରି ସମାନ ଦରମା ମିଳିବ। ଅନ୍ୟପଟେ ଆମେଠିରୁ ହାରିଯିବା ଯୋଗୁ ସ୍ମୃତିଙ୍କୁ ପୂର୍ବ ଏମପି ଭାବେ ଭତ୍ତା ମିଳିବ। ରାହୁଲଙ୍କୁ ଏବେ ପ୍ରତି ମାସରେ ୩ଲକ୍ଷ ୩୦ହଜାର ଟଙ୍କା ଦରମା ସହ ଅନ୍ୟ ସୁବିଧା ମଧ୍ୟ ମିଳିବ।

Share