ଆଜିଠୁ ୪୭ କେନ୍ଦ୍ରରେ ଓଜେଇଇ

ଭୁବନେଶ୍ୱର,୮।୫(ବ୍ୟୁରୋ): ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହେଉଛି। ୨୩ ପାଠ୍ୟକ୍ରମରେ ମୋଟ ୫୫,୯୭୯ଜଣ ପରୀକ୍ଷାର୍ଥୀ ପରୀକ୍ଷାଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଏଥିପାଇଁ ରାଜ୍ୟରେ ୩୦ ସ୍ଥାନରେ ୪୪ ପରୀକ୍ଷା ସେଣ୍ଟର କରାଯାଇଥିବାବେଳେ ରାଜ୍ୟ ବାହାରେ ୩ଟି ସ୍ଥାନରେ ୩ଟି ସେଣ୍ଟରରେ ଓଜେଇଇ ଅନୁଷ୍ଠିତ ହେବ। କେବଳ ୧୦ ତାରିଖକୁ ବାଦ୍‌ ଦେଲେ ୧୫ ତାରିଖ ଯାଏ ପ୍ରତିଦିନ ଦୈନିକ ୩ଟି ପର୍ଯ୍ୟାୟରେ ସିବିଟି ମାଧ୍ୟମରେ ପରୀକ୍ଷା ହେବ। ପରୀକ୍ଷା ଅବଧି ଦୁଇଘଣ୍ଟାର ରହିବ। ସକାଳ ୯ରୁ ୧୧ ପ୍ରଥମ ପର୍ଯ୍ୟାୟ, ଦିନ ୧୨ଟା ୩୦ରୁ ୨ଟା ୩୦ ଦ୍ୱିତୀୟ ପର୍ଯ୍ୟାୟ, ଓ ସାଢ଼େ ୪ରୁ ସାଢ଼େ ୬ ତୃତୀୟ ପର୍ଯ୍ୟାୟ ରହିବ। ପ୍ରଥମ ଦିନରେ ଲାଟେରାଲ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ, ୨ୟ ଦିନ ଏମ୍‌ସିଏ, ଏମ୍‌ଟେକ ଏଣ୍ଟ୍ରାନ୍ସ ଅନୁଷ୍ଠିତ ହେବ। ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ବର୍ଗରେ ନାମଲେଖା ପାଇଁ ପ୍ରବେଶିକା ଅନୁଷ୍ଠିତ ହେବ।

Share