ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ଏସ୍‌ଓପି

ପୁରୀ ଅଫିସ ୧୬।୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ନୂଆ ଏସ୍‌ଓପି ଜାରି କରାଯାଇଛି। ଏହି ନୂଆ ଏସ୍‌ଓପି ଚଳିତ ମାସ ୧୬ ତାରିଖ ଅର୍ଥାତ୍‌ ଗୁରୁବାରଠାରୁ ଲାଗୁ ହେବ। କୋଭିଡ୍‌ର ସମ୍ଭାବ୍ୟ ତୃତୀୟ ଲହର ଏବଂ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖାଯାଇ ଏହି ଏସ୍‌ଓପି ଜାରି କରାଯାଇଛି। ନୂତନ ଏସ୍‌ଓପି ଅନୁଯାୟୀ ଶ୍ରଦ୍ଧାଳୁମାନେ ପ୍ରତିଦିନ ଭୋର ୫ଟା ୩୦ ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ମାତ୍ର ପୂର୍ବ ଭଳି ରବିବାର ସର୍ବସାଧାରଣଙ୍କ ଲାଗି ଦର୍ଶନ ବନ୍ଦ ରହିବ। ସେହିପରି ଇଂରାଜୀ ନୂଆବର୍ଷ ଅବସରରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ଏବଂ ୨୦୨୨ ଜାନୁୟାରୀ ୧ ତାରିଖ ଭକ୍ତମାନଙ୍କ ନିମନ୍ତେ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ସ୍ବତନ୍ତ୍ର ନୀତି ବନକଲାଗି ଏବଂ ପଇତା ଲାଗି ନୀତି ଥିଲେ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ଏବଂ ବେହେରଣ ଦ୍ୱାରା ବନ୍ଦ ରହିବ । ତେବେ ଏହି ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ କରିପାରିବେ। ସେହିପରି ଆନନ୍ଦ ବଜାର ଯାଇ ମହାପ୍ରସାଦ ସେବନ କରିପାରିବେ। ଏହାବ୍ୟତୀତ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ୨ ଡୋଜ ଟିକା ନଚେତ କୋଭିଡ୍‌ ଆର୍‌ଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ରହିଛି। ତେବେ ପୂର୍ବରୁ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିଲେ।

Share