Advertisement

ଟ୍ୟୁସନ ଶିକ୍ଷୟିତ୍ରୀରୁ ରିସର୍ଟ ମାଲିକ: ମହିଳା ଦିବସରେ ଏମିତି ଜଣେ ସଫଳ ମହିଳା କାହାଣୀ ଜାଣିଲେ କରିବେ ସଲାମ୍‌

ଦାରିଙ୍ଗବାଡି, ୮।୩ (ଅରୁଣ ସାହୁ ): ଜଣେ ଟ୍ୟୁସନ ଶିକ୍ଷୟିତ୍ରୀରୁ କାର୍ଯ୍ୟ ଆରମ୍ଭ କରି ଏବେ ଏକ ରିସର୍ଟର ମାଲିକ ଆଉ ଜଣେ ସଫଳ ଶିଳ୍ପପତି ହୋଇ କନ୍ଧମାଳ ଜିଲା ଦାରିଙ୍ଗବାଡି ସମେତ ସାରା ରାଜ୍ୟ ଓ ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେ ହେଉଛନ୍ତି ଦାରିଙ୍ଗବାଡ଼ି ବୋହୁ ରେଣୁବାଳା ସାହୁ।
ପ୍ରକାଶ ଯେ, ସେ ଦାରିଙ୍ଗବାଡିର ପ୍ରଦୀପ କୁମାର ସାହୁଙ୍କୁ ବିବାହ କରିଛନ୍ତି। ପ୍ରଦୀପ ଜଣେ ଶିକ୍ଷକ ରହିଥିବା ବେଳେ ସେ ବିବାହ ସମୟରେ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ ସ୍ବଳ୍ପ ଦରମାରେ କାର୍ଯ୍ୟକରୁଥିଲେ ଏଥିରେ ଚିନ୍ତା ପ୍ରକଟ କରି ଜଣଙ୍କର ରୋଜଗାରରେ ପରିବାର ଚଲାଇବା ମୁସ୍କିଲ ଯୋଗୁ ରେଣୁବାଳା ଦାରିଙ୍ଗବାଡି ବଜାରର କିଛି ଛାତ୍ରୀଛାତ୍ରଙ୍କୁ ନେଇ ଟ୍ୟୁସନ ପଢାଇବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଏକ ଲେଡିଜ୍‌ କର୍ଣ୍ଣର ଖୋଲି ବ୍ୟବସାୟ ଆରମ୍ଭ କରିଥିଲେ। ଏହି ସମୟରେ ସେ ସ୍ବପ୍ନ ଦେଖିବା ଆରମ୍ଭ କଲେ ଯେ ସେ କିଭଳି କିଛି ବଡ଼ ଧରଣର ବ୍ୟବସାୟ କରିବେ। ଦାରିଙ୍ଗବାଡିକୁ ଦୈନିକ ଶହ ଶହ ପର୍ଯ୍ୟଟକ ଆସୁଛନ୍ତି ଓ ରାତ୍ରିଯାପନ କରିବା ପାଇଁ କୌଣସି ସୁବିଧା ନ ଥିବାରୁ ସେ ଏକ ହୋଟେଲ କରିବାକୁ ଚିନ୍ତା କରି ଜମି କିଣିବା ସହ ହୋଟେଲ ଖୋଲିଲେ। ଏହା ବହୁତ ଭଲ ଚାଲିବା ପରେ ସେ ଏକ ପାହାଡିଆ ଅଞ୍ଚଳରେ ୩ଟା କଟେଜ ଆରମ୍ଭ କରି ବ୍ୟବସାୟକୁ ଆଗକୁ ବଢ଼ାଇଥିଲେ ଏବଂ କଟେଜରୁ ସେ ରିସର୍ଟ କରିବା ପାଇଁ ସ୍ବପ୍ନ ଦେଖିଥିଲେ। ଆଉ କଠିନ ପରିଶ୍ରମ କରିବା ସହ ନିଷ୍ଠାର ସହ କାର୍ଯ୍ୟକରି ତାକୁ ରିସର୍ଟରେ ପରିଣତ କରି ଆଜି ଟିୟୁସନ ଶିକ୍ଷୟିତ୍ରୀରୁ ଜଣେ ଶିଳ୍ପପତି ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଚାରିଆଡେ ରାଜ୍ୟ ଓ ଦେଶ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଥିବା ବେଳେ ରେଣୁବାଳାଙ୍କ ସଫଳତାକୁ ନେଇ ଚାରିଆଡେ ଆଲୋଚନା ଚାଲିଛି। ରାୟଗଡା ଜିଲାର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ତାଙ୍କୁ ବିଶ୍ୱ ମହିଳା ଦିବସରେ ସମ୍ବର୍ଦ୍ଧିତ କରାଯିବା ପାଇଁ ତାଙ୍କୁ ନିମନ୍ତ୍ରଣ ହୋଇଥିବା ଜଣାପଡିଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share