Categories: ଜାତୀୟ

ଅନର୍ଗଳ ଇଂରାଜୀ କହି ଫଳ ବିକୁଥିବା ମହିଳାଙ୍କୁ ପଚରାଗଲା ଯୋଗ୍ୟତା, ଜବାବ ମିଳିଲା ଏମିତି

ଇନ୍ଦୋର,୨୩।୭: କରୋନା ଯୋଗୁ ଅନେକ ଦୋକାନ, କାରଖାନା ଏବଂ କମ୍ପାନୀ ବନ୍ଦ ଅଛି। ଏଭଳି ପରିସ୍ଥିତିରେ ଅନେକ ଶିକ୍ଷିତ ଲୋକ ଚାକିରି ହରାଇ ଫଳ ଏବଂ ପନିପରିବା ବିକିବାକୁ ବାଧ୍ୟ ହେଉଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖବବାକୁ ମିଳିଛି। ଇନ୍ଦୋରରେ ଜଣେ ମହିଳା ଫଳ ବିକ୍ରେତା ନନ୍‌ଷ୍ଟପ୍‌ ଇଂରାଜୀ କହୁଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲୋକମାନେ ମହିଳାଙ୍କୁ ତାଙ୍କ ବିଷୟରେ ପଚାରିବା ପରେ ସେ କହିଥିଲେ ଯେ, ସେ ଦେବୀ ଅହିଲ୍ୟା ବିଶ୍ୱବିଦ୍ୟାଳୟର ପୂର୍ବତନ ସ୍କଲାର୍‌। ରଇସା ଅନସାରୀ ନାମକ ଏହି ଯୁବତୀ ୨୦୧୧ରେ ପଦାର୍ଥ ବିଜ୍ଞାନରେ ପିଏଚଡି କରିଛନ୍ତି। ଏହି ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏହି ଭିଡିଓରେ ମହିଳା ଜଣକ କହୁଛନ୍ତି ଯେ ସେ ଏବଂ ତାଙ୍କ ସାଙ୍ଗମାନେ ବର୍ତ୍ତମାନ ଫଳ ଏବଂ ପନିପରିବା ବିକ୍ରି କରୁଛନ୍ତି। ସମସ୍ତଙ୍କ ପରିବାରରେ ୨୨ ରୁ ୨୫ ଜଣ ଲୋକ ଅଛନ୍ତି। କରୋନା କାରଣରୁ ବଜାରରେ ଭିଡ଼ ନ ଥିବାରୁ ଫଳ ବିକ୍ରି ହେଉନାହିଁ। ଏହି ସମୟରେ ବଞ୍ଚିବା କଷ୍ଟକର ହୋଇପଡିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ପିତା, ଜେଜେବାପା ମଧ୍ୟ ବଜାରରେ ପନିପରିବା ବିକ୍ରି କରୁଥିଲେ।
ପରିବା ନ ବିକି ସେ କାହିଁକି ଭଲ ଚାକିରି ପାଇଁ ବାଛି ନାହାଁନ୍ତି ବୋଲି ପଚାରିବାରୁ ରଇସା କହିଥିଲେ, ପ୍ରାଇଭେଟ୍‌ ଚାକିରି ସୁରକ୍ଷିତ ନୁହେଁ। ପ୍ରଥମ ପ୍ରଶ୍ନ ହେଉଛି ମୋତେ କିଏ କାମ ଦେବ। ମୁସଲମାନଙ୍କଠାରୁ କରୋନା ଜୀବାଣୁ ଉତ୍ପନ୍ନ ହୋଇଥିବା ଭ୍ରମ ଧାରଣା ବର୍ତ୍ତମାନ ସାଧାରଣ ହୋଇଗଲାଣି। ମୋ ନାଁ ରଇସା ଅନସାରୀ, କୌଣସି କଲେଜ କିମ୍ବା ଗବେଷଣା ପ୍ରତିଷ୍ଠାନ ମୋତେ ଚାକିରି ଦେବାକୁ ପ୍ରସ୍ତୁତ ନୁହଁନ୍ତି। ରଇସାଙ୍କ ଭିଡିଓ ଭାଇରାଲ୍‌ ହେବାପରେ ପ୍ରଶାସନିକ ଅଧିକାରୀମାନେ ତାଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି। କୌଣସି ସରକାରୀ ଚାକିରି ଯୋଗ୍ୟତା ଉପରେ ଆଧାରିତ। ଧର୍ମ ଓ ଜାତି ସହିତ ସରକାରୀ କାର୍ଯ୍ୟର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି।

Share