ଡ. ଚିତ୍ତରଞ୍ଜନ ମିଶ୍ର
ଅଗଷ୍ଟ ୧୫ରେ ଲାଲକିଲ୍ଲାରୁ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନରେ ରାଷ୍ଟ୍ର ପାଇଁ ୫ଟି ପ୍ରମୁଖ କାର୍ଯ୍ୟକ୍ରମର ଉଦ୍ଘୋଷଣା କରିଥିଲେ। ତନ୍ମଧ୍ୟରୁ ପ୍ରଥମଟି ଥିଲା ‘ମିଶନ ଉଦ୍ଜାନ’। ଉଦ୍ଜାନ ବାଷ୍ପର ଉପତ୍ାଦନ କ୍ଷେତ୍ରରେ ରାଷ୍ଟ୍ର ପାଇଁ ନିଜର ଦୃଷ୍ଟିକୋଣ ଉପସ୍ଥାପନା କରି ବିଶ୍ୱ ନେତୃତ୍ୱ ନେବା ପାଇଁ ଭାରତୀୟମାନଙ୍କୁ ସେ ଆହ୍ବାନ ଦେଇଥିଲେ। ଅନ୍ତର୍ଦ୍ଦେଶୀୟ ଉଦ୍ଜାନ ଅର୍ଥନୀତିକୁ ସମୃଦ୍ଧ କରି ସହନୀୟ ଭବିଷ୍ୟତ ସହ ତାଳଦେଇ ଚାଲିବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉତ୍ସାହିତ କରିଥିଲେ। ଭାରତବର୍ଷକୁ ଶକ୍ତି କ୍ଷେତ୍ରରେ ନିଅଣ୍ଟିଆ ରାଷ୍ଟ୍ରରୁ ଏକ ସମୃଦ୍ଧଶାଳୀ ରାଷ୍ଟ୍ରଭାବେ ରୂପାନ୍ତରିତ କରିବାରେ ଉଦ୍ଜାନ ପାଖରେ ଯଥେଷ୍ଟ ସମ୍ଭାବନା ଓ ପ୍ରତିଶ୍ରୁତି ଭରି ରହିଛି। ଏପରିକି ଏହା ମଧ୍ୟ ଭାରତବର୍ଷକୁ ଶକ୍ତିର ଏକ ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର ଭାବେ ପ୍ରତିପାଦିତ କରିପାରିବ।
ଭବିଷ୍ୟତର ଏକ ସହନୀୟ ଇନ୍ଧନ ଭାବେ ଉଦ୍ଜାନ ପରିଗଣିତ ହେବାକୁ ଯାଉଛି। ଉଦ୍ଜାନର ଦହନରେ ଜଳୀୟ ବାଷ୍ପ ସୃଷ୍ଟି ହୋଇଥାଏ ଏବଂ କାୈଣସି ଅବଶେଷାଂଶ ରହି ନ ଥାଏ କିମ୍ବା ଜଳବାୟୁକୁ କ୍ଷତି ପହଞ୍ଚାଇଲା ଭଳି କିଛି ବି ପ୍ରଭାବ ପଡ଼ି ନ ଥାଏ। ଉଦ୍ଜାନର ସମ୍ଭାବନାମୟ ଭବିଷ୍ୟତ ସମ୍ପର୍କରେ ଦଶନ୍ଧି ଦଶନ୍ଧି ଧରି ଆମେ ଅବଗତ ଅଛୁ। କିନ୍ତୁ ସାମ୍ପ୍ରତିକ ଘଟଣାବଳୀ ଭବିଷ୍ୟତ ଆଡ଼କୁ ଆମେ ଯାତ୍ରା କରିବା ସମ୍ଭବ ବୋଲି ପ୍ରମାଣ କରିଦେଲା। ଏହାକୁ ସାବ୍ୟସ୍ତ କରିବାକୁ ହେଲେ ଆମକୁ ଏକାଧିକ କ୍ଷେତ୍ରକୁ ସଂଘବଦ୍ଧ କରିବାକୁ ପଡ଼ିବ ଯଥା- ଉଦ୍ଜାନର ଉପତ୍ାଦନ ମୂଲ୍ୟରେ ହ୍ରାସ, ଉଦ୍ଜାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅସାଧାରଣ ପ୍ରଗତି ଏବଂ କାର୍ବନ ଶୁଳ୍କ ଯାହାକି ଅନ୍ୟାନ୍ୟ ଅଣପାରମ୍ପରିକ ଶକ୍ତି ଉତ୍ସ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ ହୋଇଥାଏ। ଆଜିର ବୃହତ୍ତର ଆହ୍ବାନ ହେଉଛି ‘ସବୁଜ ଉଦ୍ଜାନ’ ଉପତ୍ାଦନ ଯାହା ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ମୁଖ୍ୟ ବିଷୟବସ୍ତୁ । ସବୁଜ ଉଦ୍ଜାନ ପାଇଁ ଜଳର ଇଲେକ୍ଟ୍ରୋଲିସିସ୍ କରିବାକୁ ହେବ ଓ ଏଥିରେ ପ୍ରଚୁର ପରିମାଣର ବିଦ୍ୟୁତ୍ ଶକ୍ତି ଆବଶ୍ୟକ ପଡ଼ିବ। ଯେପର୍ଯ୍ୟନ୍ତ ବିନା କାର୍ବନ ନିର୍ଗମନରେ ବିଦ୍ୟୁତ୍ ଶକ୍ତି ଉପତ୍ାଦିତ ନ ହୋଇଛି, ତାହା ସୌରଶକ୍ତି ହେଉ ବା ପବନଶକ୍ତି, ସେ ପର୍ଯ୍ୟନ୍ତ ‘ସବୁଜ ଉଦ୍ଜାନ’ର ମୂଳ ଲକ୍ଷ୍ୟକୁ ହାସଲ କରାଯାଇପାରିବ ନାହିଁ। ଭାରତରେ ବର୍ଷ ସାରା ସୌର ରଶ୍ମି ଉପଲବ୍ଧ ହୋଇଥାଏ। ସୌରଶକ୍ତିର ବ୍ୟବହାର ମାଧ୍ୟମରେ ଜଳର ଅଣୁକୁ ଇଲେକ୍ଟ୍ରୋଲିସିସ୍ କରି ଉଦ୍ଜାନ ବାଷ୍ପ ସୃଷ୍ଟି କରାଯାଇପାରିବ। ସମ୍ପ୍ରତି ସମଗ୍ର ବିଶ୍ୱରେ ଉପତ୍ାଦିତ ହେଉଥିବା ଉଦ୍ଜାନର ପରିମାଣ ୮୦ ନିୟୁତ ମେଟ୍ରିକ ଟନ୍ ଏବଂ ଏହା ସମ୍ପୂର୍ଣ୍ଣରୂପେ ଜୀବାଶ୍ମ ଇନ୍ଧନରୁ ହିଁ ସୃଷ୍ଟି ହୋଇଥାଏ। ଏଥିରେ ବୈଶ୍ୱିକ ପ୍ରାକୃତିକ ବାଷ୍ପ ୬ ପ୍ରତିଶତ ଏବଂ କୋଇଲା ୨ ପ୍ରତିଶତ ବ୍ୟବହାର ହୋଇଥାଏ। ଏହା ୮୩୦ ନିୟୁତ ଟନ୍ ବିଶାଳ ପରିମାଣର ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳକୁ ଉତ୍ସର୍ଜନ କରିଥାଏ। ଅତଏବ, ଏହି ପ୍ରକ୍ରିୟାରେ ଉଦ୍ଜାନ ଉପତ୍ାଦନ କରିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ବୋଲି ଧରି ନିଆଯାଉ।
ସମୟର ଗତିରେ ପରିସ୍ଥିତି ବଦଳି ଚାଲିଛି ଏବଂ ଭାରତ ସମେତ ସମଗ୍ର ବିଶ୍ୱ ଅଣପାରମ୍ପରିକ ଶକ୍ତି ଉତ୍ସ ଆଡ଼କୁ ଦ୍ରୁତଗତିରେ ମୁହଁାଇଛନ୍ତି । ଏହା ଶକ୍ତି ଉପତ୍ାଦନ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଗକୁ ଆସିବାକୁ ଥିବା ମାତ୍ରାଧିକ କାର୍ବନ ଟ୍ୟାକ୍ସ ଏବଂ ୟୁରୋପୀୟ ୟୁନିୟନ ଦ୍ୱାରା ଘୋଷଣା କରାଯାଇଥିବା ‘ସମାଯୋଜନ ଆମଦାନୀ ଶୁକ୍ଳ’ ଶକ୍ତିର ସ୍ରୋତକୁ ଅଣପାରମ୍ପରିକ ଶକ୍ତି ଉତ୍ସ ଆଡ଼କୁ ଆହୁରି ଅଧିକ ପ୍ରେରିତ କରିବ। ଆଗାମୀ କିଛି ବର୍ଷ ମଧ୍ୟରେ ଆବର୍ତ୍ତିତ ପରିସ୍ଥିତି ଦୃଷ୍ଟିଗୋଚର ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇଦିଆଯାଇ ନ ପାରେ ଯାହାକି ଉଦ୍ଜାନକୁ ଏକ ଅଜଣା ଉତ୍ସରୁ ଆଣି ବିକାଶର ମୁଖ୍ୟସ୍ରୋତରେ ସନ୍ନିବେଶିତ କରିଦେବ। ଭାରତର ଲବ୍ଧପ୍ରତିଷ୍ଠ ବୈଜ୍ଞାନିକ ତଥା ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦର ପ୍ରାକ୍ତନ ମହାନିର୍ଦ୍ଦେଶକ ଡ. ରଘୁନାଥ ଅନନ୍ତ ମାସେଲକର କୁହନ୍ତି, ମାତ୍ର ଅଳ୍ପ କେତେବର୍ଷ ଭିତରେ ଜନଧନ ଯୋଜନାରେ ଦେଶରେ ୪୦୦ ନିୟୁତ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମ୍ଭବପର ହୋଇପାରିଲା। ଡାଟା ବ୍ୟବହାର କ୍ଷେତ୍ରରେ ଭାରତ ଅତ୍ୟନ୍ତ ନିମ୍ନ ସ୍ତରରୁ ଉଠି ଗ୍ଲୋବାଲ ର଼୍ୟାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନ ହାସଲ କରିପାରିଲା। ଏଲ୍ଇଡି ବ୍ୟବହାର କ୍ଷେତ୍ରରେ ମାତ୍ର ୫ବର୍ଷ ଭିତରେ ଭାରତୀୟ ବଜାର ୧୩୦ଗୁଣ ଅଭିବୃଦ୍ଧି ହାସଲ କରିପାରିଲା। ୨୦୧୪ରେ ବାର୍ଷିକ ୫ ନିୟୁତ ଏଲ୍ଇଡି ବଲ୍ବ ବିକ୍ରି ହୋଇଥିଲା ବେଳେ ୨୦୧୮ରେ ତାହା ୬୭୦ ନିୟୁତରେ ପହଞ୍ଚତ୍ଥିଲା। ଏ ସମସ୍ତ ଉଦାହରଣରେ ଅଧିକରୁ ଅଧିକ ଦ୍ରୁତ ଅଭିବୃଦ୍ଧି ହାରର ପ୍ରଭାବ ୟୁନିଟ ମୂଲ୍ୟରେ ହ୍ରାସ ଘଟାଇବାରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥିଲା। ଉଦାହରଣ ସ୍ବରୂପ, ୫ବର୍ଷ ଭିତରେ ଏଲ୍ଇଡି ବଲ୍ବର ମୂଲ୍ୟରେ ପ୍ରାୟ ୮୫ ପ୍ରତିଶତ ହ୍ରାସ ଘଟିଥିଲା। ଡାଟାର ମୂଲ୍ୟରେ ଭାରତବର୍ଷର ନାଟକୀୟ ହ୍ରାସ କାହାକୁ ଅଜଣା ନାହିଁ। ତେଣୁ ଉଦ୍ଜାନ କ୍ଷେତ୍ରରେ ସେଭଳି ଏକ ‘ସ୍ନୋ -ବଲ୍ ଫେନୋମିନନ୍’ ବ୍ୟାପକ ପ୍ରଭାବ ପକାଇଲା ଭଳି ଘଟଣା ଘଟିବା କିଛି ଅସମ୍ଭବ ନୁହେଁ। ଏକାଧିକ ପ୍ରତିଯୋଗିତାମୂଳକ ପ୍ରଯୁକ୍ତିବିଦ୍ୟା ଉପଲବ୍ଧ ହେଲେ ଇଲେକ୍୍ଟ୍ରୋଲିସିସ୍ ମାଧ୍ୟମରେ ଜଳର ବିଘଟନ କରି ପ୍ରଚୁର ଉଦ୍ଜାନ ସୃଷ୍ଟି କରିପାରିବା।
ମ୍ୟାକ୍କିନ୍ସେ ରିପୋର୍ଟ ଅନୁଯାୟୀ ଗତ ୨ବର୍ଷ ଭିତରେ ୭୦ଗିଗାୱାଟ୍ ସାମର୍ଥ୍ୟ ବିଶିଷ୍ଟ ଇଲେକ୍ଟ୍ରୋଲାଇଜର ପ୍ରକଳ୍ପର ଘୋଷଣା କରାଯାଇଛି। ଏହା ୨୦ ଗୁଣା ଅଭିବୃଦ୍ଧିର ଚିତ୍ର ଉପସ୍ଥାପନ କରିଥାଏ। ଏହାର ଅର୍ଥ ହେଲା ଇଲେକ୍ଟ୍ରୋଲାଇଜର ପାଇଁ କିଲୋୱାଟ୍ ପିଛା ମୂଳ ପୁଞ୍ଜିିଲଗାଣରେ ୬୫ ପ୍ରତିଶତ ହ୍ରାସ ଘଟିବ। ଉଦ୍ଜାନଭିତ୍ତିକ ଫୁଏଲ-ସେଲ୍ ପାଇଁ ପୁଞ୍ଜିଗତ ବ୍ୟୟରେ ହ୍ରାସ ଅଧିକ ନାଟକୀୟ ହୋଇପାରେ। ଯଦି ଉପତ୍ାଦନ ଓ ଉପଯୋଗର ମାତ୍ରାରେ ଠିକ୍ ସମନ୍ବୟ ରଖାଯାଇପାରିବ ତେବେ ଆଗାମୀ ୧୦ବର୍ଷ ମଧ୍ୟରେ ‘ସବୁଜ ଉଦ୍ଜାନ’ ଉପତ୍ାଦନ ଖର୍ଚ୍ଚରେ କିଲୋଗ୍ରାମ ପିଛା ୨ ଡଲାରରୁ ତଳକୁ ହ୍ରାସ ଘଟିପାରେ। ନିକଟ ଅତୀତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଉଚ୍ଚକ୍ଷମତାସମ୍ପନ୍ନ ତଥା ସ୍ବଳ୍ପ ମୂଲ୍ୟଯୁକ୍ତ ବିଶାଳକାୟ ଇଲେକ୍ଟ୍ରୋଲାଇଜର୍ସ ନିର୍ମାଣ କରିବା ପାଇଁ ଘୋଷଣା କରିଛି ଯାହାକି କମ୍ପାନୀର ୧୦ ବିଲିୟନ ଡଲାରର ବୃହତ୍ ଅଣପାରମ୍ଫରିକ ଶକ୍ତି ପରିଯୋଜନାର ଅଂଶ ବିଶେଷ।
ସମଗ୍ର ବିଶ୍ୱରେ ସବୁଜ ଉଦ୍ଜାନ କ୍ଷେତ୍ରରେ ପୁଞ୍ଜିଲଗାଣ ଏବେ ସୁଅ ପରି ଛୁଟିଛି। ଗମନାଗମନ କ୍ଷେତ୍ର ଯଥା-ଟ୍ରକ୍, ବସ୍, ମୋଟର ଗାଡ଼ି ଓ ରେଳଗାଡ଼ି ସହ ସାର କାରଖାନା, ରାସାୟନିକ କାରଖାନା ଓ ବିଶୋଧନ କାରଖାନାଗୁଡ଼ିକରେ କଞ୍ଚାମାଲ ଆଦିର ବିକାର୍ବନୀକରଣ କରିବା କ୍ଷେତ୍ରରେ ‘ସବୁଜ ଉଦ୍ଜାନ’ର ବ୍ୟବହାର ହୋଇପାରିବ। ବଡ଼ ବଡ଼ କୋଠାଘରକୁ ବିକାର୍ବନୀକରଣ କରିବା ସହ ଇସ୍ପାତ ଉପତ୍ାଦନ ଭଳି ଉଚ୍ଚ ତାପ ବ୍ୟବହାରକାରୀ ଶିଳ୍ପସଂସ୍ଥାରେ ବିକାର୍ବନୀକରଣ କରିବା କ୍ଷେତ୍ରରେ ସବୁଜ ଉଦ୍ଜାନ ମଧ୍ୟ ବ୍ୟବହୃତ ହେବ। ଏହି ବିକାର୍ବନୀକରଣ ଯାତ୍ରାରେ ଉଦ୍ଜାନ ଫୁଏଲ-ସେଲ୍ ବ୍ୟାଟେରି ପାଇଁ ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପରିପୂରକ ହେବ। ଭାରତକୁ ୧୬୦ ବିଲିୟନ ଡଲାର ବ୍ୟୟ କରି ଜୀବାଶ୍ମ ଇନ୍ଧନ ଉପତ୍ାଦ ଯଥା- ଅଶୋଧିତ ତୈଳ, ତରଳ ପ୍ରାକୃତିକ ବାଷ୍ପ, କୋଇଲା ଏବଂ ସାର ଆଦି ବିଦେଶରୁ ଆମଦାନୀ କରିଥାଏ । ଏଭଳି ଆମଦାନୀ ଉପରେ ନିର୍ଭରଶୀଳତାକୁ ଯଥେଷ୍ଟ ପରିମାଣରେ ହ୍ରାସ କରାଇବାରେ ଉଦ୍ଜାନର ମହତ୍ତର ଅବଦାନକୁ ଅସ୍ବୀକାର କରାଯାଇପାରିବ ନାହିଁ। ଅବଶ୍ୟ ଯଦି ଭାରତରେ କାୈଣସି ବଡ଼ ଧରଣର ପ୍ରାକୃତିକ ବାଷ୍ପ ବେସିନର ନୂତନ ସନ୍ଧାନ ମିଳିଯାଏ ତେବେ ଏହାର ଅର୍ଥନୀତି ଗୋଟିଏ ପଟକୁ ଢଳିବା ସମ୍ଭାବନା ରହିଛି, ହେଲେ ଏହାର ମୂଲ୍ୟରେ ଅଧିକରୁ ଅଧିକ ହ୍ରାସ ଘଟି ଚାଲିବ।
ଉଦ୍ଜାନ ବାଷ୍ପ ପାଇଁ ସମଗ୍ର ବିଶ୍ୱ ସମୁଦାୟର ଗ୍ରହଣଯୋଗ୍ୟତା ଦିନ ପରେ ଦିନ ଅଧିକରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଚାଲିଛି। ବିଶ୍ୱର ୩୧ଟି ଦେଶ ଉଦ୍ଜାନ ବାଷ୍ପ ପାଇଁ ସେମାନଙ୍କର ରଣନୀତି ଘୋଷଣାକରି ସାରିଛନ୍ତି। ଚାଇନା ସମେତ ଏକାଧିକ ୟୁରୋପୀୟ ରାଷ୍ଟ୍ର ଇଲେକ୍ଟ୍ରୋଲାଇଜର୍ର କ୍ଷମତା ବା ଉପତ୍ାଦନ ଶକ୍ତିରେ ଅଭିବୃଦ୍ଧି ପାଇଁ ପୁଞ୍ଜିଲଗାଣରେ ଅଭିବୃଦ୍ଧି ଘଟାଇଛନ୍ତି। ୭୫ରୁ ଅଧିକ ରାଷ୍ଟ୍ର ‘ନେଟ୍ ଜିରୋ’ ଅଙ୍ଗାରକ ଉତ୍ସର୍ଜନର ମହତ୍ ଅଭିଳାଷ ପୋଷଣ କରିଛନ୍ତି। ତେଣୁ ଏହା ସମ୍ଭବ ଯେ ୨୦୫୦ ସୁଦ୍ଧା ସମଗ୍ର ବିଶ୍ୱର ୨୨ପ୍ରତିଶତ ଶକ୍ତି ଆବଶ୍ୟକତା ଉଦଜାନ ହିଁ ପୂରଣ କରିବ।
ଭାରତର ଉଦ୍ଜାନ ସ୍ବପ୍ନକୁ ଚରିତାର୍ଥ କରିବାକୁ ହେଲେ ଏକାଧିକ ମହତ୍ତର ପ୍ରଚେଷ୍ଟା ପ୍ରଣିଧାନଯୋଗ୍ୟ। ପ୍ରଥମଟି ହେଲା ଏକ କ୍ରିୟାଶୀଳ ପଲିିସି ଫ୍ରେମ୍ୱାର୍କ, ଦ୍ୱିତୀୟଟି ହେଲା ଚାହିଦାରେ ଅଭିବୃଦ୍ଧି ପାଇଁ ବଳିଷ୍ଠ ପଦକ୍ଷେପ ଗ୍ରହଣ ଏବଂ ତୃତୀୟରେ ହେଲା ଭିତ୍ତିଭୂମିର ବିକାଶ ଯଥା -ପାଇପଲାଇନର ନେଟ୍ୱାର୍କ ସ୍ଥାପନ ସହ ଦେଶର ଶେଷ ସୀମା ପର୍ଯ୍ୟନ୍ତ ତାହାର ସଂଯୋଗୀକରଣ। ଏହା ସମ୍ପୂର୍ଣ୍ଣ ଭାବେ ପରୀକ୍ଷିତ ହୋଇଥିବା ବ୍ୟାବସାୟିକ ମଡେଲ ‘ମାଷ୍ଟର ଲିମିଟେଡ୍ ପାର୍ଟନରଶିପ୍’ ମାଧ୍ୟମରେ ରୂପାୟିତ ହୋଇପାରିବ ଯାହାକି ପାଶ୍ଚାତ୍ୟ ଜଗତରେ ଅତ୍ୟନ୍ତ ସାଧାରଣ କଥା। ଏହା ଘରୋଇ ପୁଞ୍ଜି ବିନିଯୋଗକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ। ଉଦ୍ଜାନ ଅର୍ଥ ବ୍ୟବସ୍ଥାର ନିର୍ମାଣ ଏବଂ ଶକ୍ତି ଓ ସାରର କଞ୍ଚାମାଲ ପାଇଁ ବୈଦେଶିକ ରାଷ୍ଟ୍ରଗୁଡ଼ିକ ନିର୍ଭରଶୀଳତାରୁ ଭାରତକୁ ମୁକ୍ତି ଦେବ।
ଏଚ୍ଆଇଜି କଲୋନି
ବରମୁଣ୍ଡା ହାଉସିଂ ବୋର୍ଡ,ଭୁବନେଶ୍ୱର
ମୋ:୯୩୩୮୨୦୪୯୯୩