ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ଇନ୍ଧନ

ଲଣ୍ଡନ, ୨୫।୧: ବିଶ୍ୱରେ ସବୁଜଗୃହ ବାଷ୍ପ ଏବଂ ପ୍ଲାଷ୍ଟିକ୍‌ ବର୍ଜ୍ୟର ପରିମାଣ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ଉଭୟ ବାୟୁମଣ୍ଡଳ ଓ ପରିବେଶ ଦୂଷିତ ହେଉଛି। ବିଷାକ୍ତ ବାଷ୍ପ ଓ ପ୍ଲାଷ୍ଟିକ୍‌ ଯୋଗୁ ଲୋକଙ୍କୁ ବହୁ ଅଜଣା ରୋଗ ଗ୍ରାସ କରୁଥିବାବେଳେ ଅନେକ ପ୍ରଜାତିର ଜୀବ ଏବେ ବିଲୁପ୍ତ ହେବାକୁ ବସିଛନ୍ତି। ସବୁଜଗୃହ ବାଷ୍ପ ଓ ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ବ୍ୟବହାରଯୋଗ୍ୟ କରିବା ଲାଗି ବ୍ରିଟେନସ୍ଥିତ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏକ ସିଷ୍ଟମ ବା ରିଆକ୍ଟର ଉଦ୍ଭାବନ କରିଛନ୍ତି। ଏହା ପ୍ଲାଷ୍ଟିକ୍‌ ବର୍ଜ୍ୟକୁ ଇନ୍ଧନରେ ରୂପାନ୍ତରିତ କରିବ।
ରେଇଜ୍‌ନର ଲ୍ୟାବ୍‌ରେ ପ୍ରଫେସର୍‌ ଇରଓ୍ବିନ୍‌ ରେଇଜ୍‌ନରଙ୍କ ଅଧ୍ୟକ୍ଷତାରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଏହି ରିଆକ୍ଟର ତିଆରି କରାଯାଇଛି। ଏହା ସୌର ଶକ୍ତି ଦ୍ୱାରା ପରିଚାଳିତ। ଏଥିରେ ଦୁଇଟି କମ୍ପାର୍ଟମେଣ୍ଟ ବା କକ୍ଷ ରହିଥାଏ। କାର୍ବନ ଡାଇଅକ୍ସାଇଡ୍‌ ଏବଂ ପ୍ଲାଷ୍ଟିକ୍‌ ବର୍ଜ୍ୟ ପୃଥକ୍‌ ଭାବେ ବ୍ୟବହାର ଉପଯୋଗୀ ପଦାର୍ଥରେ ରୂପାନ୍ତରିତ କରାଯାଏ ବୋଲି ଗବେଷକ ମୋତିଆର୍‌ ରହମାନ କହିଛନ୍ତି। ରିଆକ୍ଟର ବ୍ୟବହାର ଦ୍ୱାରା କାର୍ବନ ଡାଇଅକ୍ସାଇଡ୍‌ ଓ ପ୍ଲାଷ୍ଟିକ୍‌ ଓ୍ବେଷ୍ଟ୍‌ରୁ ସିନ୍‌ଗ୍ୟାସ୍‌, ଫର୍ମିକ ଏସିଡ୍‌ ଏବଂ ଗ୍ଲାଇକୋଲିକ୍‌ ଏସିଡ୍‌ରେ ପରିବର୍ତ୍ତନ କରାଯାଇଥାଏ। ତରଳ ଇନ୍ଧନ ତିଆରି କ୍ଷେତ୍ରରେ ସିନ୍‌ଗ୍ୟାସ୍‌ ବ୍ୟବହାର କରାଯାଉଥିବାବେଳେ ଫର୍ମିକ୍‌ ଏସିଡ୍‌କୁ ଚମଡ଼ା କାରଖାନା ଏବଂ କ୍ଲାଇକୋଲିକ୍‌ ଏସିଡ୍‌କୁ ଔଷଧ ନିର୍ମାଣରେ ବହୁଳ ମାତ୍ରାରେ ବ୍ୟବହାର କରାଯାଏ। ବର୍ଜ୍ୟକୁ ବ୍ୟବହାର ଉପଯୋଗୀ ପଦାର୍ଥର ରୂପାନ୍ତରିତ କାର୍ଯ୍ୟ ଫେଟୋ ଇଲେକ୍ଟ୍ରୋଡ୍‌ସ ପ୍ରସେସ୍‌ରେ ହେଉଥିବାବେଳେ ସମ୍ପୂର୍ଣ୍ଣ ପ୍ରଣାଳୀରେ ଏହା କାଟାଲିଷ୍ଟ (କେମିକାଲ ରିଆକ୍ସନ୍‌ରେ ବ୍ୟଗ୍ରତା ଆଣୁଥିବା ପଦାର୍ଥ) ଭାବେ କାର୍ଯ୍ୟ କରିଥାଏ ବୋଲି ରହମାନ ସୂଚନା ଦେଇଛନ୍ତି। କାଟାଲିଷ୍ଟ ପରିବର୍ତ୍ତନ କରି ବର୍ଜ୍ୟ ଓ କ୍ଷତିକାରକ ଗ୍ୟାସ୍‌ରୁ ଅନେକ ବ୍ୟବହାର ଉପଯୋଗୀ ପଦାର୍ଥର ଉଦ୍ଭାବନ କରାଯାଇ ପାରିବ ବୋଲି ଷ୍ଟଡିର ଆଉଜଣେ ଗବେଷକ ଶୁଭଜିତ୍‌ ଭଟ୍ଟାଚାର୍ଯ୍ୟ କହିଛନ୍ତି। ବହୁ ଦେଶ ଏହି ରିଆକ୍ଟରର ବ୍ୟବହାର କରି ଜଳବାୟୁ ପରିବର୍ତ୍ତନ ଜନିତ ଅସୁବିଧାରୁ ମଧ୍ୟ ନିସ୍ତାର ପାଇ ହେବ ବୋଲି ଭଟ୍ଟାଚାର୍ଯ୍ୟ କହିଛନ୍ତି। ଉଭୟ ଭଟ୍ଟାଚାର୍ଯ୍ୟ ଏବଂ ରେହମାନ ଭାରତୀୟ ବୋଲି ଜଣାପଡ଼ିଛି।

Share