ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଊର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ବଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ବର୍ଜ୍ୟବସ୍ତରୁ ଊର୍ଜା ଉତ୍ପାଦନ ପାଇଁ ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଡିଏମ୍‌ସି) ମଧ୍ୟରେ ବୁଝାମଣାପତ୍ର ମଙ୍ଗଳବାର ସ୍ବାକ୍ଷରିତ ହୋଇଯାଇଛି। ଏହି ଅବସରରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ପଦକ୍ଷେପ ଅନ୍ତର୍ଗତ ଉତ୍ତର ଦିଲ୍ଲୀ ମହାନଗର ନିଗମର ରାଣିଖେରାରେ ଏକ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏଥିରେ ଉତ୍ତର ଦିଲ୍ଲୀର ସମସ୍ତ ବର୍ଜ୍ୟବସ୍ତୁକୁ ଏକାଠି କରି ଇଣ୍ଡିଆନ ଅଏଲ ସହଯୋଗରେ ଊର୍ଜା ଉତ୍ପାଦନ କରାଯିବ। ଜୈବିକ ବର୍ଜ୍ୟରୁ ସିବିଜି ଉତ୍ପାଦନ କରାଯିବା ସହ ପ୍ଲାଷ୍ଟିକର ପୁନଃ ବ୍ୟବହାର କରାଯାଇ ପ୍ଲାଷ୍ଟିକ କିମ୍ବା ସିନ୍‌ଗ୍ୟାସ ଉତ୍ପାଦନରେ ବ୍ୟବହାର ହେଉଥିବା ରିଫ୍ୟୁଜ୍‌ ଡିରାଇଭ୍‌ଡ ଫୁଏଲ(ଆରଡିଏଫ୍‌)ର ମଧ୍ୟ ଉତ୍ପାଦନ କରାଯିବ। ପ୍ଲାଣ୍ଟରେ ଦୈନିକ ୨୫୦୦ ମିଲିୟନ ଟନ୍‌ର ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରାଯାଇ ଊର୍ଜା ଉତ୍ପାଦନ ହେବ। ମହାନଗର ନିଗମର କଠିନ ବର୍ଜ୍ୟବସ୍ତୁ (ଏମ୍‌ଏସ୍‌ଡବ୍ଲ୍ୟୁ)ର ପରିଚାଳନା ଦିଲ୍ଲୀରେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ପ୍ରସ୍ତାବିତ ଏହି ପ୍ଲାଣ୍ଟ ସମାଧାନ କରିବା ସହ ଦିଲ୍ଲୀକୁ ସବୁଜ ଇନ୍ଧନ ମାର୍ଗରେ ନେବ।

Share