ଜନ୍ମାଷ୍ଟମୀ ଉପବାସ କଲେ ପୂରଣ ହୋଇଥାଏ ଏସବୁ ମାନସିକ, ଜାଣନ୍ତୁ କେଉଁମାନେ ଏହି ବ୍ରତ କରିବା ଉଚିତ୍‌

ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଜନ୍ମାଷ୍ଟମୀ। ଏହି ଦିନ ଶ୍ରୀକୃଷ୍ଣଙ୍କ ଜନ୍ମ। ବିଶ୍ୱାସ କରାଯାଏ, ଏହି ଦିନ ଉପବାସ କଲେ ଭକ୍ତଙ୍କ ସବୁ ମନବାଞ୍ଛା ପୂରଣ ହୋଇଥାଏ। ଯେଉଁମାନଙ୍କର ଚନ୍ଦ୍ର ଦୁର୍ବଳ, ଯଦି ଏହି ଦିନରେ ବିଶେଷ ଉପାସନା କରନ୍ତି, ତେବେ ସେମାନେ ଶୁଭଫଳ ପ୍ରାପ୍ତି ହୋଇଥାନ୍ତି ବୋଲି ପୁରାଣରେ ଲେଖା ଅଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଜନ୍ମାଷ୍ଟମୀ ଦିନ ବାଳ ଗୋପାଳଙ୍କୁ ପୂଜା କରିବାର ଗୁରୁତ୍ୱ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ରତଧାରୀ କୃଷ୍ଣଙ୍କୁ ଝୁଲଣରେ ଝୁଲାଇଥାନ୍ତି। ତେବେ ତାଙ୍କର ସବୁ ମାନସିକ ପୂରଣ ହୋଇଥାଏ।

ଜନ୍ମାଷ୍ଟମୀଙ୍କ ଇତିହାସ:
ଶ୍ରୀକୃଷ୍ଣଙ୍କ ଜନ୍ମକୁ ସ୍ମରଣ କରିବା ପାଇଁ ଏହି ଉତ୍ସବ ପାଳନ କରାଯାଏ। ଏହି ଦିନ କୃଷ୍ଣଙ୍କୁ ବାଳ ଗୋପାଳ ରୂପରେ ପୂଜା କରାଯାଏ। ଜନ୍ମାଷ୍ଟମୀରେ ଭକ୍ତମାନେ ଦିନସାରା ଉପବାସ ରଖନ୍ତି। ନବମୀ ତିଥି ଆରମ୍ଭ ହେବା ମାତ୍ରେ କୃଷ୍ଣ ଜନ୍ମ ସମୟରେ ଉପବାସ ଶେଷ କରନ୍ତି।
ଶାସ୍ତ୍ର ଅନୁଯାୟୀ, ଦେବକୀ ଏବଂ ବାସୁଦେବଙ୍କ ପୁତ୍ର ଥିଲେ କୃଷ୍ଣ। ସେ ଅତ୍ୟାଚାରୀ କଂସଙ୍କୁ ହତ୍ୟା କରିବା ପାଇଁ ଜନ୍ମ ହୋଇଥିଲେ। କଂସ ଦ୍ୱାପର ଯୁଗର ରାଜା ଉଗ୍ରସେନଙ୍କ ପୁତ୍ର ଥିଲେ। ସେ ତାଙ୍କ ପିତାଙ୍କୁ ବନ୍ଦୀ କରି ରଖିଥିଲେ। ଏହି ସମୟରେ, ତାଙ୍କ ଭଉଣୀ ଦେବକୀ ଯାଦବ ବଂଶର ବାସୁଦେବଙ୍କୁ ବିବାହ କରିଥିଲେ। ଦେବକୀଙ୍କର ଯେତେ ସନ୍ତାନ ହେଉଥିଲେ କଂସ ତାକୁ ଟେକି ନେଇ କଚାଡ଼ି ମାରି ଦେଉଥିଲେ। ମାତ୍ର ଦେବକୀଙ୍କୁ ଭବିଷ୍ୟବାଣୀ ହୋଇଥିଲା ଯେ, ଅଷ୍ଟମ ସନ୍ତାନ ଦ୍ୱାରା କଂସଙ୍କ ନିଧନ ହେବ।

ଏହି ଭବିଷ୍ୟବାଣୀରେ କ୍ରୋଧିତ ହୋଇ କଂସ ଦେବକୀ ଏବଂ ବାସୁଦେବଙ୍କୁ କାରାଗାରରେ ରଖିଥିଲେ। କଂସ ଉଭୟଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ କିନ୍ତୁ ବାସୁଦେବ ତାଙ୍କୁ ଅନୁରୋଧ କରିଥିଲେ ଯେ, ଯେତେବେଳେ ଆମର ସନ୍ତାନ ହେବ ଆମେ ତୁମକୁ ଦେଇଦେବୁ। ୬ ଶିଶୁପୁତ୍ରଙ୍କୁ ହତ୍ୟା କରିବା ସାରିବା ପରେ ଦେବକୀଙ୍କର ଏକ କନ୍ୟା ସନ୍ତାନ ଜନ୍ମଲାଭ କରିଥିଲା। କଂସ ସେହି କନ୍ୟାଟିକୁ କଚାଡ଼ି ମାରିବା ସମୟରେ ସେ ଆକାଶକୁ ଉଡ଼ିଯାଇଥିଲା। ଆଉ କହିଥିଲା ଅପେକ୍ଷା କର। ତୁମକୁ ଯିଏ ମାରିବ ସେ ଗୋପରେ ବଢୁଛି। ଏହା ଶୁଣି କଂସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଅନେକ ଚେଷ୍ଟା କରିଥିଲେ କିନ୍ତୁ ସମସ୍ତ ଚେଷ୍ଟା ବୃଥା ହୋଇଥିଲା। ଶେଷରେ ଭଗବାନ କୃଷ୍ଣ କଂସଙ୍କୁ ବଧ କରିଥିଲେ।