‘ଫୁଲ ହାଉସ’ ଫେମ୍ କମେଡିଆନ୍ ବବ ସଗେଟଙ୍କ ପରଲୋକ: ସନ୍ଦିଗ୍ଧ ଅବସ୍ଥାରେ ହୋଟେଲରୁ ମିଳିଲା ମୃତଦେହ

ଫ୍ଲୋରିଡା,୧୦ ।୧: ଆମେରିକା ଟେଲିଭିଜନରେ ୯୦ ଦଶକରେ ପ୍ରସାରିତ କମେଡି ଶୋ’ ‘ଫୁଲ ହାଉସ’ରେ ଅଭିନୟ କରି ବିଶ୍ୱବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ବବ ସଗେଟଙ୍କର ପରଲୋକ ହୋଇଛି । ୬୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତେବେ ଫ୍ଲୋରିଡାର ଏକ ହୋଟେଲରୁ ତାଙ୍କର ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିବା ସୂଚନା ରହିଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ତାଙ୍କ ରୁମରୁ ସେଭଳି କୌଣସି ସନ୍ଦେହ କରିବା ଭଳି ଜିନିଷ ବି ମିଳିନାହିଁ । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହେବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ, ଜାନୁୟାରୀ ୯ରେ ବବଙ୍କ ମୃତ୍ୟୁ ହୋଇଛି । ସେ ‘ଆଇ ଡୋଣ୍ଟ ଡୁ ନେଗେଟିଭ କମେଡି ଟୁର’ ପାଇଁ ଫ୍ଲୋରିଡାରେ ଥିଲେ । ଏହାର ସିଡ୍ୟୁଲ ଆସନ୍ତା ଜୁନ ପର୍ଯ୍ୟନ୍ତ ରହିଥିଲା । ବବଙ୍କ ପରଲୋକରେ ହଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଥିବା ବେଳେ ପ୍ରିୟଙ୍କା ଚୋପ୍ରାଙ୍କ ସମେତ ଆଉ କେତେଜଣ କଳାକାର ଶୋକ ପ୍ରକାଶ କରିଛନ୍ତି । ଆଉ ସାରା ବିଶ୍ୱରେ ଥିବା ତାଙ୍କ ପ୍ରଶଂସକ ସହଜରେ ବବଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ।

Share