ପ୍ରତ୍ୟାରୋପଣ ପାଇଁ ଅର୍ଥ ବାଧକ

ବରଗଡ଼ ଅଫିସ,୨୭ା୫: ମୋ ଝିଅକୁ ବଞ୍ଚେଇ ଦିଅ। ଆପଣଙ୍କ ସାମାନ୍ୟ ସହାୟତା ମୋ ଝିଅର ଜୀବନକୁ ବଞ୍ଚେଇ ଦେଇପାରେ। ଏପରି କହି ଝିଅର ଲିଭର ପ୍ରତ୍ୟାରୋପଣ ପାଇଁ ସହାୟତା ଦେବାକୁ ନିବେଦନ କରିଛନ୍ତି ବରଗଡ଼ ପୋର ପରିଷଦ ଅଧୀନ ୱାର୍ଡ ନଂ-୧ ଟାଙ୍ଗରପଡାର କାହ୍ନୁ ସେଠ। ସେ ସୋନପୁର ଜିଲା ନାରାୟଣପୁର ଗ୍ରାମର ମୂଳ ବାସିନ୍ଦା ଏବଂ ଟାଙ୍ଗରପଡାରେ ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କ ସହ ବାପଅଜା ଅମଳରୁ ରହିଆସୁଛନ୍ତି। କାହ୍ନୁ ପଡାବାସିନ୍ଦାଙ୍କ କପଡା ସଫା ସହ ଆଇରନ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ତାଙ୍କ ଝିଅ କମଳିନୀ ବରଗଡ଼ ଜିଲା ଚକରକେନ୍ଦ କଲେଜରେ ଯୁକ୍ତ ୩ ପ୍ରଥମବର୍ଷରେ ପଢୁଛନ୍ତି। ୨୦୧୩ରେ କମଳିନୀଙ୍କ ଦେହ ହଠାତ ଅସୁସ୍ଥ ହୋଇ ପଡିଥିଲା। ତାଙ୍କ ପେଟରେ ବାରମ୍ବାର ପାଣି ଜମି ଫୁଲି ଯାଉଥିଲା। ଏଥିପାଇଁ କାହ୍ନୁ କମଳିନୀଙ୍କୁ ନେଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇ ଖର୍ଚ୍ଚାନ୍ତ ହୋଇଥିଲେ। ମାତ୍ର ସେ ସୁସ୍ଥ ହେବା ବଦଳରେ ତାଙ୍କ ଲିଭର ଖରାପ ହେଇଗଲା। ଏଥିପାଇଁ ସେ ଝିଅକୁ ଭୁବନେଶ୍ୱର, ଦିଲ୍ଲୀ, ୱାଲଟିୟର, ବାଙ୍ଗାଲୋର ନେଇ ଚିକିତ୍ସା କରିଛନ୍ତି। ଝିଅର ଚିକିତ୍ସା ପାଇଁ ବରଗଡ଼ ଓ ପୈତୃକ ଗ୍ରାମରେ ଥିବା ସମସ୍ତ ସମ୍ପତ୍ତି ବିକ୍ରି କରିସାରିଲେଣି ବୋଲି କାହ୍ନୁ କହିଛନ୍ତି। ଏବେ ତାଙ୍କ ହାତରେ ଟଙ୍କା ନାହିଁ। ଅନ୍ୟପକ୍ଷେ ଝିଅର ଲିଭର ପ୍ରତ୍ୟାରୋପଣ କରିବାକୁ ପଡିବ ଏବଂ ଏଥିପାଇଁ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହୁଥିବାବେଳେ କମଳିନୀଙ୍କ ମା’ ଲିଭର ଦାନ କରିବେ ବୋଲି କହିଛନ୍ତି। ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ପ୍ରାୟ ୧୮ରୁ ୨୦ ଲକ୍ଷ ଟଙ୍କା ଲାଗିପାରେ ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। ଏଥିପାଇଁ ଅର୍ଥ ବାଧକ ସାଜିଛି। ଝିଅ ଲାଗି ସମସ୍ତ ଜମିବାଡ଼ି ବିକି ସାରିବା ପରେ କାହ୍ନୁ ଏବେ ଉପାୟ ଶୂନ୍ୟ ହୋଇପଡିଛନ୍ତି। ଝିଅର ଲିଭର ପ୍ରତ୍ୟାରୋପଣ ପାଇଁ ସେ ଜନସାଧାରଣଙ୍କୁ ଆର୍ଥିକ ସାହାଯ୍ୟ ନିବେଦନ କରିଛନ୍ତି । ଅର୍ଥ ଯୋଗାଡ଼ ପାଇଁ ପଡାର ବ୍ରହ୍ମାନନ୍ଦ ମହାକୁଡ଼, ସୁଧାଂଶୁ ଗଡତିଆ, କିଶୋର ନାଗ, ବୁଦ୍ଧଦେବ ବର୍ଗେ, ବିକି ପ୍ରଧାନ, ଉତ୍ତମ ଜେନା ପ୍ରମୁଖ ଉଦ୍ୟମ ଆରମ୍ଭ କରିଛନ୍ତି। ସହୃଦୟ ଲୋକେ ସହଯୋଗ କଲେ କମଳିନୀଙ୍କ ଲିଭର ପ୍ରତ୍ୟାରୋପଣ ହୋଇପାରିବ ବୋଲି କାହ୍ନୁ କହିଛନ୍ତି।