Categories: ଜାତୀୟ

ଗଣବିଧ୍ୱଂସୀ ଅସ୍ତ୍ର ପାଇଁ ପାଣ୍ଠି ଯୋଗାଣ ନିଷେଧ ହେବ

ନୂଆଦିଲ୍ଲୀ,୨।୮: ଗଣବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ନିର୍ମାଣରେ ପୁଞ୍ଜିନିବେଶ ବନ୍ଦ କରିବା ଲାଗି ସୋମବାର ପାର୍ଲାମେଣ୍ଟରେ ବିଲ୍‌ ଗୃହୀତ ହୋଇଛି। ଏଭଳି କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କ ଆର୍ଥିକ ସମ୍ପତ୍ତି ଏବଂ ଆର୍ଥିକ ଉତ୍ସକୁ ଜବତ କରିବା କିମ୍ବା ବାଜ୍ୟାପ୍ତ କରିବା ଲାଗି ବିଲ୍‌ରେ କେନ୍ଦ୍ର ସରକାରଙ୍କୁ କ୍ଷମତା ଦିଆଯାଇଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗଣବିଧ୍ୱଂସୀ ଅସ୍ତ୍ର ଓ ସେଗୁଡ଼ିକର ଯୋଗାଣ ବ୍ୟବସ୍ଥା (ବେଆଇନ କାର୍ଯ୍ୟକଳାପ ନିରୋଧୀ) ସଂଶୋଧନ ବିଲ୍‌, ୨୦୨୨ ଉପସ୍ଥାପନ କରିଥିଲେ। ଆତଙ୍କବାଦ ଭଳି ଗଣବିଧ୍ୱଂସୀ ଅସ୍ତ୍ର ଦେଶ ପାଇଁ ବଡ଼ ବିପଦ ଏହା ସବୁ ସଦସ୍ୟ ସ୍ବୀକାର କରୁଥିବା ଜୟଶଙ୍କର କହିଥିଲେ। ବର୍ତ୍ତମାନର ଆଇନରେ ଅସ୍ତ୍ର ବ୍ୟବସାୟ ଉପରେ କଟକଣା ଥିବାବେଳେ ଏହାର ନିର୍ମାଣରେ ପୁଞ୍ଜିନିବେଶ ଲାଗି କୌଣସି କଟକଣା ନାହିଁ। ତେଣୁ ଏଥିପାଇଁ ଆଇନର ଆବଶ୍ୟକତା ରହିଛି। ମନିଲଣ୍ଡରିଂ ମାମଲାରେ ଶିବସେନା ଏମ୍‌ପି ସଞ୍ଜୟ ରାଉତ ଗିରଫ ହେବା ସମେତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳଗୁଡ଼ିକର ହୋହଲ୍ଲା ମଧ୍ୟରେ ରାଜ୍ୟ ସଭାରେ ବିଲ୍‌ ବାଚନିକ ମତରେ ଗୃହୀତ ହୋଇଥିଲା। ଗତ ଏପ୍ରିଲରେ ଉକ୍ତ ବିଲ୍‌ ଲୋକ ସଭାର ଅନୁମୋଦନ ଲାଭ କରିଥିଲା।

Share