ଷ୍ଟାର୍ଟଅପ୍‌ ଓଡ଼ିଶା ପକ୍ଷରୁ ଫଣ୍ଡ୍‌ଷ୍ଟାକ୍‌ ୩.୦ ଉନ୍ମୋଚିତ

ଭୁବନେଶ୍ୱର,୨୨।୧୦ (ଅଭୟ ଦାଶ): ଷ୍ଟାର୍ଟଅପ୍‌ ଓଡ଼ିଶାର ବହୁ ପ୍ରତୀକ୍ଷିତ ନିବେଶକ ସଂଯୋଗ କାର୍ଯ୍ୟକ୍ରମ ଫଣ୍ଡ୍‌ଷ୍ଟାକ୍‌ ୩.୦ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ରାଜ୍ୟର ଷ୍ଟାର୍ଟଅପ୍‌ଗୁଡ଼ିକୁ ପିଚିଂ ସେସନ ସହ ବିଭିନ୍ନ ପ୍ରତିଷ୍ଠିତ ନିବେଶକଙ୍କ ସହ ସଂଯୋଜିତ ହେବା ପାଇଁ ସୁଯୋଗ ପ୍ରଦାନ କରିବ। ଏପରିକି ଦୁଇ ଦିନିଆ ମେଗା ଇଭେଣ୍ଟ ଆଞ୍ଜେଲ ନେଟ୍‌ୱର୍କ ଓ ଭେଞ୍ଚର କ୍ୟାପିଟାଲିଷ୍ଟ ଫାର୍ମଗୁଡିକରୁ ଆବଶ୍ୟକ ପୁଞ୍ଜି ଓ ପାଣ୍ଠି ହାସଲ କରିବାରେ ଷ୍ଟାର୍ଟଅପ୍‌ଗୁଡିକୁ ସହଯୋଗ କରିବ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର, ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ଓମ୍‌କାର ରାୟ ଶୁକ୍ରବାର ଏକ ଭର୍ଚୁଆଲ ସମ୍ମିଳନୀରେ ଯୋଗଦେଇ ଏହାକୁ (ଫଣ୍ଡ୍‌ଷ୍ଟାକ୍‌ ୩.୦) ଉନ୍ମୋଚନ କରିଛନ୍ତି ଏବଂ ଏହି ପ୍ରୋଗ୍ରାମ ପାଇଁ ଆବେଦନ ଆରମ୍ଭ ଓ ନିବେଶକ ସହଯୋଗୀଙ୍କଠାରୁ ପାଣ୍ଠି ହାସଲ କରିବା ଲାଗି ଏଭଳି ଏକ ସୁବର୍ଣ୍ଣ ସୁଯୋଗର ବ୍ୟବହାର କରିବା ପାଇଁ ସ୍ବତନ୍ତ୍ର ୱେବ୍‌ସାଇଟ୍‌ର ମଧ୍ୟ ଉଦ୍‌ଘାଟନ କରିଛନ୍ତି।
ଏ ସମ୍ପର୍କରେ ରାୟ ପୂର୍ବ ସଂସ୍କରଣରୁ ମିଳିଥିବା ସଫଳ କାହାଣୀଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ ଯାହା ରାଜ୍ୟର ଅଗ୍ରଣୀ ଓ ଉଦୀୟମାନ ଉଦ୍ୟୋଗୀମାନଙ୍କ ପାଇଁ ପ୍ରେରଣାଦାୟକ ଥିଲା। ସେ ଆଶ୍ୱାସନା ଦେଇଛନ୍ତି, ଫଣ୍ଡଷ୍ଟାକ୍‌ ୩.୦ଓଡ଼ିଶା ଷ୍ଟାର୍ଟଅପ୍‌ ଗ୍ରୋଥ୍‌ ଫଣ୍ଡ (ଓଏସ୍‌ଜିଏଫ୍‌)ର ଶୁଭାରମ୍ଭ କରିବା ପାଇଁ ଏକ ଉନ୍ନତ ସୁଯୋଗ ହେବ ଏବଂ ଓଡ଼ିଶାରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମର ବିକାଶକୁ ତ୍ୱରାନ୍ବିତ କରିବା ଲାଗି ଓଡ଼ିଶା ସରକାରଙ୍କ ଷ୍ଟାର୍ଟଅପ୍‌ ଓଡ଼ିଶାର ଉକ୍ତ ଅଭିଯାନରେ ଯୋଗଦେବା ପାଇଁ ଅଧିକ ସହଯୋଗୀଙ୍କୁ ସକ୍ଷମ କରିବ। ସେହିଭଳି ଚଳିତ ବର୍ଷ ୫୦ଟି ମନୋନୀତ ଷ୍ଟାର୍ଟଅପ୍‌କୁ ଏକ ନିବେଶ ପ୍ରସ୍ତୁତି କର୍ମଶାଳା ମାଧ୍ୟମରେ ବିଶେଷଜ୍ଞ ଓ ମେଣ୍ଟରମାନେ ପରିଚାଳିତ କରିବେ। ଯେଉଁମାନେ ଆସନ୍ତା ନଭେମ୍ବର ୨୧ରେ ନିବେଶକଙ୍କ ନିକଟରେ ପିଚ୍‌ କରିବେ। ସେମାନଙ୍କ ମଧ୍ୟରୁ ଶୀର୍ଷ ୨୦ଟି ଷ୍ଟାର୍ଟଅପ୍‌କୁ ୨୦୨୩ ନଭେମ୍ବର ୨୨ରେ ଏକ ବିଶାଳ ଉଦ୍‌ଯାପନୀ ସମାରୋହରେ ସ୍ପିଡ୍‌ ଡେଟିଂ ଓ ନେଟ୍‌ୱର୍କିଂ ସେସନରେ ୱାନ୍‌-ଅନ୍‌-ୱାନ୍‌ ମିଟିଂ ପାଇଁ ମନୋନୀତ କରାଯିବ।

Share