ଶୋଭାଯାତ୍ରାରେ ଦମ୍ପତିଙ୍କ ଶେଷଯାତ୍ରା

ସମ୍ବଲପୁର,୩୧ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଡଙ୍ଗାପାଲ ଗ୍ରାମର ବୃଦ୍ଧ ଦମ୍ପତି କାର୍ତ୍ତିକ ପ୍ରଧାନ ଓ ଅନସୂୟାଙ୍କ ଶୋଭାଯାତ୍ରା ସହ ଜୀବନର ଶେଷଯାତ୍ରା ସମ୍ପନ୍ନ ହୋଇଛି। ଗାଁ ମଶାଣିରେ ଗୋଟିଏ ଜୁଇରେ ଜଳିଛି ଉଭୟଙ୍କ ମୃତଶରୀର। ଦୁଲଦୁଲି ବାଜା, ଘଣ୍ଟ, ଶଙ୍ଖ ନାଦ ସହ ଗାଁଦାଣ୍ଡଠାରୁ ମଶାଣି ପର୍ଯ୍ୟନ୍ତ ଲୋକାରଣ୍ୟ ହୋଇଉଠିଥିଲା। ସମସ୍ତଙ୍କ ମୁହଁରେ ଗୋଟିଏ କଥା ଭାଗ୍ୟବାନ ଏହି ବୃଦ୍ଧ ଦମ୍ପତି, ଏକାଠି ହୋଇ ଜୀବନ ବିତାଇଲେ, ଶେଷରେ ଏକାଠି ହୋଇ ଆରପାରିକି ଚାଲିଗଲେ। ଶୁକ୍ରବାର ବୁର୍ଲା ମେଡିକାଲରେ ଅନସୂୟାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଗାଁକୁ ଅଣାଯାଇଥିଲା। ଘରେ କାର୍ତ୍ତିକଙ୍କ ମୃତଦେହ ଗତକାଲିଠାରୁ ରହିଥିଲା। ପ୍ରଥମେ ଅନସୂୟା ଓ ପରେ କାର୍ତ୍ତିକଙ୍କ କୋକେଇ ମଶାଣିକୁ ଶୋଭାଯାତ୍ରାରେ ବାହାରିଥିଲା। ଗାଁ ପରିକ୍ରମା ପରେ ଗାଁ ଦେବୀ ମନ୍ଦିରରେ ଦେଇ ମଶାଣିରେ ପହଞ୍ଚତ୍ଥିଲା। ଗାଁ ପ୍ରତ୍ୟେକ ଘର ସମ୍ମୁଖରେ ମହିଳାପୁରୁଷ ଛିଡା ହୋଇ ଶେଷ ଦର୍ଶନ କରିଥିଲେ। ଅପରାହ୍ନ ପ୍ରାୟ ୪ଟା ସମୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଝିଅ ପ୍ରଭାତୀ ମୁଖାଗ୍ନି ଦେଇଥିଲେ। ଗରିବ ଶ୍ରେଣୀର ହୋଇଥିବାରୁ ଗ୍ରାମବାସୀ ସହଯୋଗ କରିଥିଲେ। ସ୍ଥାନୀୟ ସରପଞ୍ଚ ବାସନ୍ତି ପ୍ରଧାନ, ସମିତି ସଭ୍ୟ ଜୟନ୍ତ ପ୍ରଧାନ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ଦେବା ସହ ଯଥାସମ୍ଭବ ସହାୟତା କରିଥିଲେ। ଭାଜପା ନେତା ଦେବେନ୍ଦ୍ର ମହାପାତ୍ର ମଧ୍ୟ ମେଡିକାଲରେ ପହଞ୍ଚତ୍ ମୃତଦେହ ଘରକୁ ପହଞ୍ଚାଇବାରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ ବହୁଦିନରୁ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିବା କାର୍ତ୍ତିକ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଅନ୍ୟପଟେ ସ୍ତ୍ରୀ ଅନସୂୟା ଦୁଇଦିନ ପୂର୍ବରୁ ହଠାତ୍‌ ତଳେ ପଡିଯାଇ ଆହତ ହୋଇଥିଲେ। ବୁର୍ଲା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଥିଲା। ଉଭୟଙ୍କ ମୃତ୍ୟୁ ପ୍ରାୟ ୫ରୁ ୭ ମିନିଟ ବ୍ୟବଧାନରେ ହୋଇଥିବା ପରିବାର ବର୍ଗ କହିଛନ୍ତି।

Share