ଛତିଶଗଡ଼ରେ ଶେଷକୃତ୍ୟ, ପରିବାର ସାମିଲ

ସମ୍ବଲପୁର,୧୪ା୫(ବ୍ୟୁରୋ): ଛତିଶଗଡ଼ର ରାୟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ବିମାନବନ୍ଦରଠାରେ ଶୁକ୍ରବାର ରାତିରେ ହେଲିକପ୍ଟର ଦୁର୍ଘଟଣାରେ ଦୁଇ ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ପାଇଲଟ ଭାବେ ସମ୍ବଲପୁର ସଦର ଥାନା ବାହାମ ଗ୍ରାମର ଗୋପାଳକୃଷ୍ଣ ପଣ୍ଡା (୫୮) ରହିଛନ୍ତି। ଅନ୍ୟ ଜଣେ ମୃତକ ହେଲେ ଏ.ପି. ଶ୍ରୀବାସ୍ତବ। ଏହି ଘଟଣାକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଶୋକବ୍ୟକ୍ତ କରିଛନ୍ତି। ଶନିବାର ଛତିଶଗଡ଼ରେ ଗୋପାଳକୃଷ୍ଣଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅନ୍ତିମ ସଂସ୍କାର ବେଳେ ଓଡ଼ିଶା ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବାୟୁସେନା ଅଧିକାରୀ ଓ ଅବସରପ୍ରାପ୍ତ ଅଧିକାରୀଙ୍କ ସମେତ ପରିବାର ଲୋକ ଉପସ୍ଥିତ ଥିଲେ।
ସୂଚନା ଅନୁସାରେ, ଛତିଶଗଡ଼ ଏୟାରପୋର୍ଟରେ ଟ୍ରେନିଂ ଚାଲିଥିବା ବେଳେ ହେଲିକପ୍ଟର ଅବତରଣ କରୁଥିବା ସମୟରେ ନିଅଁା ଲାଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ହୋଇଥିବା ସୂଚନା ଦିଆଯାଇଛି। ଖବର ପାଇ ସମ୍ବଲପୁରରେ ରହୁଥିବା ତାଙ୍କ ଭାଇ ଡାକ୍ତର ବିମଳ ପଣ୍ଡା ଓ ପରିବାର ସଦସ୍ୟ ରାୟପୁର ଯାଇଥିଲେ। ଗୋପାଳକୃଷ୍ଣ ଭୁବନେଶ୍ୱର ସୈନିକ ସ୍କୁଲରେ ପାଠପଢା ସାରିବା ପରେ ୧୯୮୭ରେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ)ରେ ଯୋଗଦେଇଥିଲେ। ପରେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ୨୦୦୪ରେ ତାଙ୍କୁ ଉଇଙ୍ଗ୍‌ କମାଣ୍ଡର ଭାବେ ପଦୋନ୍ନତି ମିଳିଥିଲା। ୨୦୧୦ ଅଗଷ୍ଟରେ ସେ ଅବସର ନେଇଥିଲେ। ୨୦୧୨ରେ ଛତିଶଗଡ଼ ସରକାରଙ୍କ ସରକାରୀ ହେଲିକପ୍ଟର ଚଳାଇବାକୁ ସେ ନିଯୁକ୍ତି ପାଇଥିଲେ। ପଛରେ ସେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅପୁଅଙ୍କୁ ଛାଡ଼ିଯାଇଛନ୍ତି। ଆମେ ଜଣେ ମୁରବିଙ୍କୁ ହରାଇଲୁ ବୋଲି ପରିବାରବର୍ଗ କହିଛନ୍ତି।

Share