ବିଦ୍ୟାଳୟ ଷ୍ଟୋରରୁମ୍‌ରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର

ପାଟଣା,୫ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ହଲ୍‌ରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ରୋଷେଇରେ ବ୍ୟବହୃତ ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି।

ସୂଚନାଯୋଗ୍ୟ, ଉକ୍ତ ହଲ୍‌ଟି ଷ୍ଟୋର ରୁମ୍‌ ସହ ଏମଡିଏମ୍‌ ରୋଷେଇ ଘର ଭାବେ ବ୍ୟବହୃତ ହେଉଥିଲା। ଚୁଲି ଉପରେ ଶୁଖା ଯାଇଥିବା କାଠରୁ ନିଆଁ ଲାଗି ବିଦ୍ୟାଳୟର ଲକ୍ଷାଧିକ ଟଙ୍କାର ସମସ୍ତ ବେଞ୍ଚ, ଡେସ୍କ, ବିଦ୍ୟାଳୟ ପରିସରରୁ କଟା ରଖା ଯାଇଥିବା ଗଛଗୁଡିକର ଗଣ୍ଡି, ରୋଷେଇ ସହ ମହଜୁଦ୍‌ ଥିବା ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ପାଟଣା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସବୁ କିଛି ଜଳି ପୋଡ଼ି ଧ୍ୱଂସ ହୋଇ ଯାଇଥିଲା। ତେବେ ଅନ୍ୟ ରୁମ୍‌ରେ ନିଆଁ ଲାଗିବା ପୂର୍ବରୁ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।

Share