ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ ଶିଳ୍ପ ବିପ୍ଳବକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଥିବା ତଥା ଆଧୁନିକ ଅର୍ଥନୀତିର ପ୍ରତିଷ୍ଠାତା ଡେଭିଡ୍‌ ରିକାର୍ଡୋଙ୍କ ଅନୁଧ୍ୟାନରୁ ଆମେ ଏଭଳି ସମସ୍ୟା ଉପରେ ଉପଯୋଗୀ ଧାରଣା ପାଇପାରିବା। ଏବେ ବେସରକାରୀ କ୍ଷେତ୍ରର ବୈଷୟିକ ନେତାମାନେ ଆମକୁ ଭବିଷ୍ୟତରେ କାର୍ଯ୍ୟରେ କମ୍‌ ଚାପ, କମ୍‌ ବିରକ୍ତିକର ବୈଠକ, ଅଧିକ ଅବକାଶ ସମୟ ଏବଂ ସମ୍ଭବତଃ ଏକ ବୈଶ୍ୱିକ ମୌଳିକ ଆୟ ବିଷୟରେ ଉଜ୍ଜ୍ୱଳ ଭବିଷ୍ୟତର ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ ଆମେ ସେମାନଙ୍କୁ ବିଶ୍ୱାସ କରିବା ଉଚିତ କି? ୧୮୧୭ରେ ରିକାର୍ଡୋ ରାଜନୈତିକ ଅର୍ଥ ବ୍ୟବସ୍ଥା ଏବଂ ଟିକସୀକରଣ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଅନୁଧ୍ୟାନ କରିଥିଲେ। ଏଥିରେ ସେ ଯନ୍ତ୍ରପାତି ଉପରେ ଏକ ସକାରାତ୍ମକ ଦୃଷ୍ଟିକୋଣ ନେଇଥିଲେ ଯାହା ସ୍ପିନିଂ ବା ସୂତାକଟାରେ ବଡ଼ ପରିବର୍ତ୍ତନ ଆଣିିସାରିଛି। ସେହି ସମୟରେ ସେ ହାଉସ ଅଫ୍‌ କମନ୍ସକୁ କହିଥିଲେ ଯେ, ଯନ୍ତ୍ରପାତି ଶ୍ରମର ଚାହିଦା ହ୍ରାସ କରେ ନାହିଁ।
୧୭୦୦ ଦଶକରୁ ସ୍ବୟଂଚାଳିତ ସ୍ପିନିଂ କପା ମୂଲ୍ୟ ହ୍ରାସ କରିଥିଲା ଏବଂ ସ୍ପୁନ୍‌ କପାରୁ ଲୁଗା ବୁଣିବା କାର୍ଯ୍ୟ ପାଇଁ ଚାହିଦା ବଢ଼ାଇଲା। ଯେହେତୁ ୧୮୧୦ ଦଶକ ପୂର୍ବରୁ ସବୁ କିଛି ହାତବୁଣା ଥିଲା, ଚାହିଦା ଦୃଷ୍ଟିରୁ ଏହି ନୂତନତ୍ୱ ହସ୍ତତନ୍ତକୁ ଏକ ଉଚ୍ଚ ବେତନପ୍ରାପ୍ତ କାରିଗରି କାର୍ଯ୍ୟରେ ପରିଣତ କରିବାରେ ସାହାଯ୍ୟ କରିଥିଲା, ଯେଉଁଥିରେ ବହୁ ଶହ ଶହ ବ୍ରିଟିଶ ପୁରୁଷ ନିୟୋଜିତ ହୋଇଥିଲେ। ସ୍ବୟଂଚାଳିତ ପଦ୍ଧତିର ଏହି ସକାରାମତ୍କ ଅଭିଜ୍ଞତା ସମ୍ଭବତଃ ରିକାର୍ଡୋଙ୍କ ପ୍ରାରମ୍ଭିକ ଆଶାବାଦୀ ଦୃଷ୍ଟିକୋଣକୁ ସୂଚିତ କରିଥିଲା। କିନ୍ତୁ ବୃହତ୍‌ ଯନ୍ତ୍ରର ବିକାଶ ସ୍ପିନିଂରେ ଅଟକିଯାଇ ନ ଥିଲା। ଖୁବ୍‌ ଶୀଘ୍ର କାରଖାନାଗୁଡ଼ିକରେ ବାଷ୍ପ ଚାଳିତ ତନ୍ତ ନିୟୋଜିତ ହେଲା। କାରିଗରି ବୁଣାକାରମାନେ ନିଜ ଘରେ କାମ କରି ଭଲ ରୋଜଗାର କରିପାରିଲେ ନାହିଁ। ଏହା ବଦଳରେ ସେମାନେ କାରଖାନାଗୁଡ଼ିକରେ କଠୋର ଅନୁଶାସନ ଅଧୀନରେ ଅଧିକ ସମୟ କାମ କରୁଥିବାବେଳେ ନିଜ ପରିବାର ଚଳାଇବା ପାଇଁ ସଂଘର୍ଷକଲେ। ଉତ୍ତର ଇଂଲଣ୍ଡରେ ଏହା ବିରୋଧରେ ଉତ୍ତେଜନା ଓ ପ୍ରତିବାଦ ବ୍ୟାପିବାରୁ ରିକାର୍ଡୋ ତାଙ୍କ ମତ ବଦଳାଇଲେ। ୧୮୨୧ରେ ପ୍ରକାଶିତ ତାଙ୍କର ପ୍ରଭାବଶାଳୀ ପୁସ୍ତକର ତୃତୀୟ ସଂସ୍କରଣରେ ମେଶିନ ଉପରେ ଏକ ନୂତନ ଅଧ୍ୟାୟ ଯୋଡ଼ିଥିଲେ। ଏଥିରେ କହିଥିଲେ, ଯଦି ଯନ୍ତ୍ରପାତି ଏବେ ଶ୍ରମିକ କରୁଥିବା ସମସ୍ତ କାର୍ଯ୍ୟ କରିପାରିବ,ତେବେ ଶ୍ରମର କୌଣସି ଚାହିଦା ରହିବ ନାହିଁ। ସମାନ ବିିଚାର ଆଜି ମଧ୍ୟ ପ୍ରଯୁଜ୍ୟ।
୧୮୧୦-୧୮୨୦ ଦଶନ୍ଧିରେ ସଂଘର୍ଷ କରୁଥିବା ଅଧିକାଂଶ ହସ୍ତତନ୍ତ କାରିଗର ନୂଆ ତନ୍ତ କାରଖାନାକୁ ଗଲେନାହିଁ। କାରଣ ଯାନ୍ତ୍ରିକ ତନ୍ତ ପାଇଁ ଅଧିକ ଲୋକଙ୍କର ଆବଶ୍ୟକତା ନ ଥିଲା। ଅନ୍ୟପକ୍ଷରେ ସୂତାକଟାର ସ୍ବୟଂଚାଳନ ଅଧିକ ଲୋକଙ୍କ ପାଇଁ ବୁଣାକାର ଭାବେ କାର୍ଯ୍ୟ କରିବା ଲାଗି ସୁଯୋଗ ସୃଷ୍ଟି କରିଥିଲା। ଅନ୍ୟପକ୍ଷରେ ବୟନର ସ୍ବୟଂଚାଳନ ଅନ୍ୟ ସେକ୍ଟରରେ ପରିପୂରକ ଭାବେ ଶ୍ରମ ଚାହିଦା ସୃଷ୍ଟିକରି ନ ଥିଲା। ଅନ୍ୟ କିଛି ବିକଳ୍ପ ଉପରେ ନିର୍ଭରକରି ଅନେକ ହଜାର ହସ୍ତତନ୍ତ ବୁଣାକାର ମଜୁରି ଅଧାରୁ ଅଧିକ କମ୍‌ ହେଲେ ବି ସେମାନଙ୍କ ବୃତ୍ତିରେ ରହିଲେ। ଆଉ ଏକ ପ୍ରମୁଖ ସମସ୍ୟା ଥିଲା ଫ୍ୟାକ୍ଟ୍ରିର କଠିନ ପରିସ୍ଥିତିରେ କାମ କରିବା। ଏହା ଉପରେ ରିକାର୍ଡୋ ନିଜେ କିଛି ଚିନ୍ତାକରି ନ ଥିଲେ। ୧୮୦୦ ଦଶକ ପ୍ରାରମ୍ଭର ମାଲିକ ନିୟନ୍ତ୍ରିତ ଷ୍ଟାଟାନିକ୍‌ ମିଲ୍ସର ଏକ ଛୋଟ ଗୋଷ୍ଠୀ ହସ୍ତତନ୍ତ ବୁଣାକାରମାନଙ୍କୁ ଆକର୍ଷିତ କରି ନ ଥିଲା। ଫଳରେ ଅନେକ କାରିଗରି ବୁଣାକାର ସ୍ବାଧୀନ ବ୍ୟବସାୟୀ ଏବଂ ଏଣ୍ଟରପ୍ରେନ୍ୟୁୟର ଭାବେ କାର୍ଯ୍ୟ କରି ଥିଲେ। ସେମାନେ ସ୍ପୁନ୍‌ କଟନ କିଣୁଥିଲେ ଏବଂ ପରେ ସେଥିରୁ ବୁଣୁଥିବା ଉତ୍ପାଦ ଗୁଡ଼ିକୁ ବଜାରରେ ବିକ୍ରି କରୁଥିଲେ। ଅଧିକ ସମୟ, ଅଧିକ ଶୃଙ୍ଖଳା, କମ୍‌ ସ୍ବାଧୀନତା ଏବଂ କମ୍‌ ବେତନକୁ ସ୍ବୀକାର କରିବାକୁ ଆଗ୍ରହୀ ନ ଥିଲେ। ବିଭିନ୍ନ ରୟାଲ କମିଶନଙ୍କ ଦ୍ୱାରା ସଂଗୃହୀତ ସାକ୍ଷ୍ୟ ପ୍ରମାଣରେ ବୁଣାକାରମାନେ ଏପରି କାର୍ଯ୍ୟ ପରିସ୍ଥିତିକୁ ଗ୍ରହଣ କରିବାକୁ ମନା କରିବା ସହ ଏହା ବିଷୟରେ କଟୁ ମନ୍ତବ୍ୟ ଦେଇଥିଲେ କିମ୍ବା ଯେତେବେଳେ ସେମାନେ ଏପରି କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥିଲେ (ଅନ୍ୟ ବିକଳ୍ପ ଅଭାବରୁ) ସେତେବେଳେ ସେମାନଙ୍କ ଜୀବନ କେତେ ଭୟଙ୍କର ହୋଇଗଲା ତାହା ମଧ୍ୟ ଦର୍ଶାଇଥିଲେ।
ନୂଆ କିଛି ସୃଷ୍ଟି କରିପାରୁଥିବା ଏବକାର ଏଆଇର ବହୁତ ବଡ଼ ସମ୍ଭାବନା ଅଛି ଏବଂ ବୈଜ୍ଞାନିକ ଗବେଷଣା ସହ ଅନ୍ୟ କ୍ଷେତ୍ରରେ କିଛି ଚିତ୍ତାକର୍ଷକ ସଫଳତା ହାସଲ କରିସାରିଛି। ଶ୍ରମିକମାନେ ଅଧିକ ସୂଚନାପ୍ରାପ୍ତ, ଅଧିକ ଉତ୍ପାଦନକାରୀ, ଅଧିକ ସ୍ବାଧୀନ ଏବଂ ବହୁମୁଖୀ ହେବା ପାଇଁ ଏହା ଭଲ ଭାବରେ ବ୍ୟବହୃତ ହୋଇପାରେ। ଦୁର୍ଭାଗ୍ୟବଶତଃ ବୈଷୟିକ ଶିଳ୍ପରେ ଏହାକୁ ଅନ୍ୟ ଭାବେ ବ୍ୟବହାର କରାଯିବାର ମାନସିକତା ଥିବା ପରି ମନେହୁଏ। ଶକ୍ତି ଏବଂ ପ୍ରଗତି କ୍ଷେତ୍ରରେ ବଡ଼ କମ୍ପାନୀଗୁଡ଼ିକ ଏଆଇର ବିକାଶ ଏବଂ ନିୟୋଜନ କରି ଲୋକଙ୍କୁ ଅଧିକ ଉତ୍ପାଦନକରୀ କରିବା ବଦଳରେ ଅତ୍ୟଧିକ ମାତ୍ରାରେ ସ୍ବୟଂଚାଳିତ (ଲୋକଙ୍କୁ ବଦଳାଇବା) ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିରୁ ବୁଝାପଡ଼ୁଛି ଯେ, ଆମେ ଅତ୍ୟଧିକ ସ୍ବୟଂଚାଳନ ବା ଅଟୋମେଶନର ବିପଦକୁ ଆଗକୁ ସାମ୍ନା କରିବୁ। ଅନେକ ଶ୍ରମିକ ଚାକିରି ଛାଡ଼ିବେ ଏବଂ ଯେଉଁମାନେ ଚାକିରିରେ ରହିବେ ସେମାନେ ନିରୀକ୍ଷଣ ଏବଂ ନିୟନ୍ତ୍ରଣର ଅଧିକ ଅପମାନଜନକ ସ୍ଥିତିିର ସମ୍ମୁଖୀନ ହେବେ। ତ୍ୱରିତ ଓ କଠୋର ପଦକ୍ଷେପ ନେବା ନୀତିର ଆବଶ୍ୟକ ପଡ଼ିବ। ଏହା ବ୍ୟତୀତ କର୍ମକ୍ଷେତ୍ରରେ ଏବଂ ସମାଜର ସମସ୍ତ ଅଞ୍ଚଳରେ ପ୍ରଚୁର ତଥ୍ୟ ସଂଗ୍ରହକୁ ଉତ୍ସାହିତ କରିବାରେ କେତେ ଗୋପନୀୟତା ରହିବ ତାହା ପ୍ରଶ୍ନବାଚୀ ସୃଷ୍ଟିକରେ।
ଏପରି ଏକ ଭବିଷ୍ୟତ ଅପରିହାର୍ଯ୍ୟ ନୁହେଁ। ତଥ୍ୟ ସଂଗ୍ରହର ନିୟମାବଳୀ ଗୋପନୀୟତା ରକ୍ଷା କରିବାରେ ସାହାଯ୍ୟ କରିବ ଏବଂ କାର୍ଯ୍ୟକ୍ଷେତ୍ରର ଦୃଢ଼ ନିୟମ ଏଆଇ ଆଧାରିତ ନିରୀକ୍ଷଣର ଖରାପ ଦିଗକୁ ରୋକିପାରେ। କିନ୍ତୁ ଅଧିକ ମୌଳିକ କାର୍ଯ୍ୟ ହେଉଛି ଏଆଇ ବିଷୟରେ ସାମଗ୍ରିକ କାହାଣୀକୁ ପରିବର୍ତ୍ତନ କରିବାକୁ ହେବ ବୋଲି ରିକାର୍ଡୋ ଆମକୁ ମନେପକାଇଦିଅନ୍ତି। ତାଙ୍କ ଜୀବନ ଏବଂ ଗବେଷଣାରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ହେଉଛି ଯେ ମେଶିନଗୁଡ଼ିକ ଅବଶ୍ୟ ଭଲ କିମ୍ବା ଖରାପ ନୁହେଁ। ମେଶିନଗୁଡ଼ିକ ଚାକିରି ନଷ୍ଟ କରନ୍ତି କିମ୍ବା ସୃଷ୍ଟି କରନ୍ତି ତାହା ସେଗୁଡ଼ିକୁ ନିୟୋଜିତ କରିବାର ପସନ୍ଦ ଉପରେ ନିର୍ଭରକରେ। ରିକାର୍ଡୋଙ୍କ ସମୟରେ କାରଖାନା ମାଲିକମାନଙ୍କର ଏକ ଛୋଟ କ୍ୟାଡର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସ୍ବୟଂଚାଳନ ଏବଂ ଶ୍ରମିକମାନଙ୍କୁ ଯଥାସମ୍ଭବ ହ୍ରାସ କରିବା ଉପରେ କେନ୍ଦ୍ରିତ ଥିଲା।
ସମ୍ପ୍ରତି ଟେକ୍‌ ନେତାଙ୍କ ଏକ ଛୋଟ ଗୋଷ୍ଠୀ ମଧ୍ୟ ସମାନ ରାସ୍ତା ଅବଲମ୍ବନ କରୁଥିବା ପରି ମନେହୁଏ। କିନ୍ତୁ ନୂଆ ସୁଯୋଗ, ମଣିଷଙ୍କ ପାଇଁ ନୂଆ କାମ ସୃଷ୍ଟି କରିବା ଉପରେ ଧ୍ୟାନଦେବା ଏବଂ ସମସ୍ତଙ୍କ ପାଇଁ ସମ୍ମାନ ଦେବା ଅପେକ୍ଷାକୃତ ଏକ ଉତ୍ତମ ପରିଣାମ ନିଶ୍ଚିତ କରିବ। ଏଆଇ ସମର୍ଥକ ଶ୍ରମିକ ହେବା ସମ୍ଭବ ହେବ ଯଦି ଆମେ ବୈଷୟିକ ଶିଳ୍ପରେ ନୂତନତ୍ୱର ଦିଗ ପରିବର୍ତ୍ତନ କରି ନୂତନ ନିୟମାବଳୀ ଏବଂ ବ୍ୟବସ୍ଥାଗୁଡ଼ିକ ପ୍ରବର୍ତ୍ତନ କରିପାରିବା। ତେବେ ରିକାର୍ଡୋଙ୍କ ସମୟରେ ବ୍ୟବସାୟ ଏବଂ ବୈଷୟିକ ନେତୃବର୍ଗଙ୍କ ଉପରେ ବିଶ୍ୱାସ କରିବା ଅନଭିଜ୍ଞତାର ପରିଚୟ ଦେବ। ଶିଳ୍ପ ବିପ୍ଳବ ସମୟରେ ପ୍ରକୃତ ଗଣତନ୍ତ୍ର ସୃଷ୍ଟି କରିବା, ଟ୍ରେଡ୍‌ ୟୁନିୟନକୁ ଆଇନଗତ କରିବା ଏବଂ ବ୍ରିଟେନରେ ବୈଷୟିକ ପ୍ରଗତିର ଦିଗ ବଦଳାଇବା ପାଇଁ ରାଜନୈତିକ ସଂସ୍କାର ଆବଶ୍ୟକ କରିଥିଲା। ସେହି ସମାନ ମୌଳିକ ଆହ୍ବାନକୁ ଆମେ ଆଜି ସାମ୍ନା କରୁଛ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri