ହଜାର ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ, ପାଠପଢା ବନ୍ଦ, ୪୧ କୂଟନୀତିଜ୍ଞଙ୍କ ପ୍ରତ୍ୟାବର୍ତ୍ତନର ପ୍ରଭାବ…

ନୂଆଦିଲ୍ଲୀ/ଅଟଓ୍ବା,୨୨।୧୦: କାନାଡା ଏବଂ ଭାରତ ମଧ୍ୟରେ ବିବାଦ ଆହୁରି ବୃଦ୍ଧି ପାଇଛି। ପଞ୍ଜାବ ସମେତ ଭାରତରୁ କାନାଡା ଯାଉଥିବା ଛାତ୍ରୀଛାତ୍ରଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ନିକଟରେ କାନାଡା ଏହାର ୪୧ କୂଟନୀତିଜ୍ଞଙ୍କୁ ସ୍ବଦେଶ ଫେରାଇ ନିଆଯାଇଛି। ଫଳରେ ହଜାର ହଜାର ଛାତ୍ରୀଛାତ୍ରଙ୍କ ଭିସା ଅଟକି ଯାଇଛି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତର ପଞ୍ଜାବରୁ ସର୍ବାଧିକ ଯୁବକ କାନାଡା ଯାଇଥାନ୍ତି। ପରିସଂଖ୍ୟାନ ଅନୁସାରେ ପ୍ରତିବର୍ଷ ଭାରତରୁ ପ୍ରାୟ ୧.୭୫ ଲକ୍ଷ ଯୁବବର୍ଗ ଅଧ୍ୟୟନ ଏବଂ ପର୍ଯ୍ୟଟନ ଭିସା ପାଇଁ କାନାଡା ଯାଆନ୍ତି। କାନାଡା ଏହାର କୂଟନୀତିଜ୍ଞଙ୍କୁ ଫେରାଇ ଆଣିବା ପରେ ବର୍ତ୍ତମାନ ଭିସା ସେବା କାନାଡାରେ ବନ୍ଦ ହୋଇଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେତେବେଳେ ଜୁନ ମାସରେ କାନାଡାରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କୁ ହତ୍ୟା କରାଯାଇଥିଲା ଏବଂ ଏହି ହତ୍ୟାକାଣ୍ଡରେ ଭାରତୀୟ ଏଜେନ୍ସି ଉପରେ ଅଭିଯୋଗ ଅଣାଯାଇଥିଲା ସେତେବେଳେ କାନାଡା ଏବଂ ଭାରତ ମଧ୍ୟରେ ବିବାଦ ବୃଦ୍ଧି ପାଇଥିଲା। କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଭିଯୋଗ କରିଥିଲେ ଭାରତୀୟ ଗୁପ୍ତଚର ସଂସ୍ଥା କାନାଡାର ନାଗରିକ ନିଜ୍ଜାରଙ୍କୁ ହତ୍ୟା କରିଛି। ଏହା ମଧ୍ୟ କହିଥିଲେ ଆମେ ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରୁଛୁ।

ଅପରପକ୍ଷରେ କାନାଡା କରିଥିବା ସମସ୍ତ ଅଭିଯୋଗକୁ ଭାରତ ଖଣ୍ଡନ କରିଥିଲା। ଏହା ପରେ ମଧ୍ୟ ଉଭୟ ଦେଶ ପରସ୍ପର ଉପରେ ବିଭିନ୍ନ ଅଭିଯୋଗ ଆଣିଥିଲେ। ବର୍ତ୍ତମାନ ଅପଡେଟ ଅନୁସାରେ କାନାଡା ଭାରତରୁ ଏହାର କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି। ଏହା ସହିତ ଭାରତରୁ ପାଠ ପଢୀବାକୁ କାନାଡ଼ା ଯାଉଥିବା ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି।

ଭିସା ପରାମର୍ଶଦାତା ଦଲଜିତ ସିଂ ସାନ୍ଧୁ କହିଛନ୍ତି ବର୍ତ୍ତମାନ ଏବଂ ଆଗାମୀ ଦିନରେ ଭିସା ଆବେଦନ ପ୍ରକ୍ରିୟାକରଣରେ ନିଶ୍ଚିତ ବିଳମ୍ବ ହେବ। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭିସା ପ୍ରକ୍ରିୟା କେତେ ସମୟ ନେଇପାରେ ତାହା କହିବା କଷ୍ଟକର।

ସୂଚନାଯୋଗ୍ୟ, ଭାରତର ପଞ୍ଜାବରୁ ସର୍ବାଧିକ ସଂଖ୍ୟକ ଯୁବବର୍ଗ କାନାଡା ଯାଆନ୍ତି। ଏଥିମଧ୍ୟରୁ ଅଧିକାଂଶ ଯୁବକ ଅଧ୍ୟୟନ ପାଇଁ ଯାଆନ୍ତି। କେତେକ ଲୋକ ଚାକିରି ପାଇଁ କାନାଡା ଯାଇଥାନ୍ତି। ଏଥିପାଇଁ ଯୁବବର୍ଗମାନେ କେବଳ ପଞ୍ଜାବରେ ପ୍ରତିବର୍ଷ ୬୮ ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ୨୦୨୨ମସିହାରେ ସମୁଦାୟ ୨,୨୬,୪୫୦ ଭିସା ଶରଣାର୍ଥୀ ଏବଂ କାନାଡିୟ ନାଗରିକତ୍ୱ ଅନ୍ତର୍ଗତ ଗ୍ରହଣ କରାଯାଇଥିଲା।

Share