Categories: ଜାତୀୟ

ଭବିଷ୍ୟତରେ ତାମିଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ: ଶାହା

ଚେନ୍ନାଇ/ଭେଲୋର,୧୨ା୬: ଭବିଷ୍ୟତରେ ଜଣେ ତାମିଲ ଭାରତର ପ୍ରଧାନମନ୍ତ୍ରୀ ହେବା ଉଚିତ। ଅତୀତରେ ଡିଏମ୍‌କେ ଯୋଗୁ ଏପରି ସୁଯୋଗ ଦୁଇଥର ହାତଛଡ଼ା ହୋଇଛି ବୋଲି ରବିବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି। ଚେନ୍ନାଇରେ ଆୟୋଜିତ ଭାଜପାର ଏକ ରୁଦ୍ଧଦ୍ୱାର ବୈଠକରେ ଶାହା ଦଳୀୟ କର୍ମକର୍ତ୍ତାମାନଙ୍କୁ ଆହୁରି କହିଥିଲେ, ୨୦୨୪ ଲୋକ ସଭା ନିର୍ବାଚନରେ ୨୦ରୁ ଅଧିକ ଆସନ ଦଖଲ ପାଇଁ କାର୍ଯ୍ୟ କରନ୍ତୁ। ଏହି ଲକ୍ଷ୍ୟ ହାସଲ ପାଇଁ ବୁଥ୍‌ କମିଟିଗୁଡ଼ିକୁ ମଜଭୁତ କରିବାକୁ ପଡ଼ିବ।
ଭେଲୋରରେ ଏକ ସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, କଂଗ୍ରେସ ଏବଂ ଡିଏମ୍‌କେ ପରିବାରବାଦ ରାଜନୀତି ଓ ଦୁର୍ନୀତିରେ ଲିପ୍ତ। ଏସବୁ ହେଲେ ‘୨ଜି, ୩ଜି, ୪ଜି’ ଦଳ। ଜଣେ ଭୂମିପୁତ୍ରଙ୍କୁ କ୍ଷମତାସୀନ କରିବା ପାଇଁ ତାମିଲନାଡୁରେ ଏହି ଦଳଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିବା ସମୟ ଉପନୀତ ବୋଲି ଶାହା କହିଛନ୍ତି।
ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାଜପାର ମାସବ୍ୟାପୀ କାର୍ଯ୍ୟକ୍ରମ ପାଇଁ ଶାହା ଦୁଇଦିନିଆ ଚେନ୍ନାଇ ଗସ୍ତରେ ଅଛନ୍ତି। ଶାହା ଶନିବାର ରାତିରେ ଗୁଇଣ୍ଡିସ୍ଥିତ ବିମାନବନ୍ଦରରେ ପହଞ୍ଚତ୍ ଏକ ହୋଟେଲକୁ ରହଣି ପାଇଁ ଯିବାବେଳେ ହଠାତ୍‌ ଷ୍ଟ୍ରିଟ୍‌ଲାଇଟ୍‌ ଚାଲିଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ଭାଜପା ଏବଂ ଡିଏମ୍‌କେ ମଧ୍ୟରେ ବାକ୍‌ଯୁଦ୍ଧ ହୋଇଥିଲା। ରାଜ୍ୟ ଭାଜପା ଉପାଧ୍ୟକ୍ଷ କାରୁ ନାଗରାଜନ୍‌ ବିକ୍ଷୋଭ ପ୍ରଦର୍ଶନ କରି କହିଥିଲେ, ଏପରି ଘଟଣା ସୁରକ୍ଷାରେ ତ୍ରୁଟିକୁ ଦର୍ଶାଉଛି। ଏହାର ଗମ୍ଭୀର ତଦନ୍ତ କରାଯିବା ଉଚିତ।

Share