Categories: ଜାତୀୟ

ଜି -୨୦ ଶିଖର ସମ୍ମିଳନୀ: ଭିକାରୀଙ୍କ ପାଇଁ ଦିଲ୍ଲୀରେ ୩ ଦିନିଆ ମହାଭୋଜ…

ନୂଆଦିଲ୍ଲୀ,୫।୯ : ଜି -୨୦ ଶିଖର ସମ୍ମିଳନୀରେ ଟ୍ରାଫିକ ଉପରେ ପ୍ରତିବନ୍ଧକ ଲଗାଯିବା ସହିତ ୮ ରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦିଲ୍ଲୀର ଅନେକ ଅଞ୍ଚଳରେ କିନ୍ନର ଏବଂ ଭିକାରୀଙ୍କ ଉପସ୍ଥିତି ମଧ୍ୟ ରହିବ ନାହିଁ। ଆଗାମୀ କିଛି ଦିନ ହେବ ନୂଆଦିଲ୍ଲୀ ଜିଲ୍ଲାର ସମସ୍ତ ରେଡ ଲାଇଟ ଛକରେ କିନ୍ନର, ଭିକାରୀଙ୍କୁ ଦେଖିବାକୁ ମିଳିବ ନାହିଁ। ଭିକାରୀ, କିନ୍ନରମାନେ ବିଶେଷ ଭାବରେ କନ୍ନଟ ପ୍ଲେସ, କେ.ଜି ମାର୍ଗ, ଜନପଥ, ବଙ୍ଗଳା ସାହିବ ଗୁରୁଦ୍ୱାରା ଏବଂ ସିପିର ହନୁମାନ ମନ୍ଦିର ସମ୍ମୁଖରେ ଦେଖାଯିବେ ନାହିଁ। ଦିଲ୍ଲୀ ପୋଲିସ ଏହି ଅଞ୍ଚଳରୁ ଭିକାରୀଙ୍କୁ ହଟାଇବା ଆରମ୍ଭ କରିଛି। ସେହିଭଳି, ଯଦି ହଜରତ ନିଜାମୁଦ୍ଦିନ ରେଳ ଷ୍ଟେଶନ ଏବଂ ନୂଆଦିଲ୍ଲୀ ରେଳ ଷ୍ଟେଶନର ଉଭୟ ପାର୍ଶ୍ୱରେ ଭିକ୍ଷାବୃତ୍ତି କରୁଥିବାର ଦେଖାଯାଏ, ବିଶେଷକରି ଅଜମେରୀ ଫାଟକ ଆଡକୁ, ସେମାନଙ୍କୁ ଧରାଯିବ ଏବଂ ଆଶ୍ରୟ ଗୃହରେ ଛାଡି ଦିଆଯିବ। ସେଠାରେ ଭିକାରୀଙ୍କ ପାଇଁ ୩ ଦିନିଆ ମହାଭୋଜ ହେବ। ସେମାନଙ୍କର ସ୍ବତନ୍ତ୍ର ଯତ୍ନ ନିଆଯିବା ସହିତ ବିଶେଷ ଖାଦ୍ୟପେୟର ବ୍ୟବସ୍ଥା କରାଯିବ।

ଜି -୨୦ ସମ୍ମିଳନୀ ଶେଷ ହେବା ପର୍ଯ୍ୟନ୍ତ, ନୂଆଦିଲ୍ଲୀ ଅଞ୍ଚଳରେ ଭିକାରୀ, କିନ୍ନରଙ୍କୁ ଦେଖିବାକୁ ମିଳିବ ନାହିଁ। ନିକଟରେ ଏହି ଲୋକମାନଙ୍କୁ କେଉଁଠାରେ ରଖାଯିବ ସେନେଇ ଦିଲ୍ଲୀ ସରକାର ମଧ୍ୟ ଏକ ଚାରି ଜଣିଆ କମିଟି ଗଠନ କରିଥିଲେ। ବର୍ତ୍ତମାନ ଏହି ଲୋକଙ୍କୁ ଗୀତା କଲୋନୀ, ରୋହିଣୀ ଏବଂ ଦ୍ୱାରକା ସେକ୍ଟରକୁ ସ୍ଥାନାନ୍ତର କରାଯାଇଛି।

ନୂଆଦିଲ୍ଲୀ ମ୍ୟୁନିସିପାଲିଟି ପରିଷଦ ମଧ୍ୟ ଲୁଟିନ୍ସ ଅଞ୍ଚଳରେ ରହୁଥିବା ୨୦୦୦ ରୁ ଅଧିକ ଭିକାରୀ ଏବଂ ବାସହୀନ ଲୋକଙ୍କୁ ପୁନଃ ଥଇଥାନ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛି। ଦିଲ୍ଲୀର ସମସ୍ତ ହୋଟେଲ କେବଳ ନୂଆଦିଲ୍ଲୀ ଅଞ୍ଚଳ ଅନ୍ତର୍ଗତ। ଏହା ସହିତ ଅଧିକାଂଶ ଦେଶର ଦୂତାବାସ ମଧ୍ୟ ଏଠାରେ ଅଛି। ଏଭଳି ପରିସ୍ଥିତିରେ ଜି-୨୦ ର ପ୍ରତିନିଧିମାନେ ମଧ୍ୟ ଏହି ଅଞ୍ଚଳକୁ ଆସିବେ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଆଗାମୀ କିଛି ଦିନ ପାଇଁ ସମସ୍ତ ବ୍ୟସ୍ଥା କରିବ।

୨୦୧୯ ମସିହାରେ ଦିଲ୍ଲୀ ହାଇକୋର୍ଟ ଭିକ୍ଷା ମାଗିବାକୁ ଅପରାଧ ଘୋଷଣା କରିବା ଆଇନକୁ ରଦ୍ଦ କରିଦେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ହିଁ ଦିଲ୍ଲୀରେ ଭିକ ମାଗିବା ଅପରାଧ ବର୍ଗରେ ଆସୁ ନାହିଁ। ଦିଲ୍ଲୀ ହାଇକୋର୍ଟଙ୍କର ଏହି ନିଷ୍ପତ୍ତି ପରେ ଦିଲ୍ଲୀ ପୋଲିସ ଭିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବନ୍ଦ କରିଦେଇଥିଲା, କିନ୍ତୁ ଜି -୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସେମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Share