ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ: ଯୁଦ୍ଧ ସଙ୍କଟ ଉପରେ ଆଲୋକପାତ କଲେ ମୋଦି

ବାଲି,୧୫।୧୧: ଇଣ୍ଡୋନେସିଆର ବାଲିରେ ଆଜିଠାରୁ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ୱ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ବିଶେଷ ମତ ଦେଇଛନ୍ତି। ସେ କହିଛନ୍ତି, ମୁଁ ବାରମ୍ବାର କହିଛି ଯେ ୟୁକ୍ରେନରେ ଯୁଦ୍ଧବିରାମ ତଥା କୂଟନୈତିକ ପଥକୁ ଫେରିବା ପାଇଁ ଆମକୁ ଏକ ଉପାୟ ଖୋଜିବାକୁ ପଡିବ। ଗତ ଶତାବ୍ଦୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସାରା ବିଶ୍ୱ ଉପରେ ଅର୍ଥନୈତିକ ସଙ୍କଟ ସୃଷ୍ଟି କରିଥିଲା। ଏହା ପରେ ଶାନ୍ତିର ରାସ୍ତା ଅବଲମ୍ବନ କରିବାକୁ ଚେଷ୍ଟା କରାଯାଇଥିଲା। ବର୍ତ୍ତମାନ ଆମର ପାଳି। କୋଭିଡ ପରବର୍ତ୍ତୀ ଯୁଗ ପାଇଁ ଏକ ନୂତନ ବିଶ୍ୱ ଶୃଙ୍ଖଳା ଗଠନ କରିବା ଆମ କାନ୍ଧରେ ପଡିଛି।
ବିଶ୍ୱର ଅଭିବୃଦ୍ଧି ପାଇଁ ଭାରତର ଶକ୍ତି ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଅଟେ। ଶକ୍ତି ଯୋଗାଣ ଉପରେ କୌଣସି ପ୍ରତିବନ୍ଧକକୁ ପ୍ରୋତ୍ସାହିତ କରିବା ଉଚିତ ନୁହେଁ। ୨୦୩୦ ସୁଦ୍ଧା ଆମର ଅଧା ବିଦ୍ୟୁତ ଅକ୍ଷୟ ଉତ୍ସରୁ ଉତ୍ପନ୍ନ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଫ୍ରାନ୍ସର ନେତା ଇମାନୁଏଲ ମାକ୍ରୋନଙ୍କୁ ମଧ୍ୟ ଭେଟିଥିଲେ।

Share