Categories: ଜାତୀୟ

କ୍ୟାବିନେଟ ବୈଠକରେ ସାମିଲ ହେଲେନି କିଷନ ରେଡ୍ଡୀ, କିଛି ସମୟ ପରେ ଦେଇପାରନ୍ତି ଇସ୍ତଫା

ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଡକାଯାଇଥିଲା। ଯେଉଁଥିରେ କେନ୍ଦ୍ର ମନ୍ତ୍ରୀ ଜି କିଷନ ରେଡ୍ଡୀ ସାମିଲ ହୋଇନାହାନ୍ତି। ଏହି ସମୟରେ ଖବର ସାମ୍ନାକୁ ଆସିଛି ଯେ, କିଷନ ରେଡ୍ଡୀ କିଛି ସମୟ ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ଅନ୍ୟପଟେ, ଭାଜପା ମଙ୍ଗଳବାର ଜି କିଷନ ରେଡ୍ଡୀଙ୍କୁ ତେଲଙ୍ଗାନାର ଦଳ ସଭାପତି ଭାବେ ନିଯୁକ୍ତ କରିଥିଲା। ତେବେ ସେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି। ଜି କିଷନ ରେଡ୍ଡୀ ମୋଦି ସରକାରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପଦବୀରେ ଅଛନ୍ତି।

ଚଳିତ ବର୍ଷ ଶେଷରେ ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର ଠିକ ପୂର୍ବରୁ ଜି କିଷନ ରେଡ୍ଡୀଙ୍କୁ ରାଜ୍ୟ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର ମନ୍ତ୍ରୀ ରେଡ୍ଡୀ ବନ୍ଦୀ ସଞ୍ଜୟ କୁମାରଙ୍କ ସ୍ଥାନରେ ରହିବେ। ସଞ୍ଜୟ କୁମାରଙ୍କୁ ୨୦୨୦ରେ ରାଜ୍ୟ ସଭାପତି ଭାବରେ ନିଯୁକ୍ତ କରାଯାଇଥିଲା। ସେ କରିମନଗରରେ ଏମ୍‌ପି ଅଛନ୍ତି। ଦଳ ପକ୍ଷରୁ କୁହାଯାଇଥିଲା ଯେ ଭାଜପା ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ନିଯୁକ୍ତିକୁ ଚୂଡାନ୍ତ କରିଛନ୍ତି ଏବଂ ଏହା ତୁରନ୍ତ କାର୍ଯ୍ୟକାରୀ ହେବ। ସୂତ୍ରରୁ ପ୍ରକାଶ ଯେ ବନ୍ଦୀ ସଞ୍ଜୟ କୁମାର ଆସନ୍ତା ଦିନରେ କେନ୍ଦ୍ର ସରକାରରେ ମନ୍ତ୍ରୀ ଭାବରେ ଯୋଗଦେବେ।

Share