Categories: ଜାତୀୟ

‘ଓୱାଇସି କେସିଆର୍‌ଙ୍କ ଗୁରୁ’

ନୂଆଦିଲ୍ଲୀ,୨୫।୯: ମହିଳା ସଂରକ୍ଷଣ ବିଲ ସପକ୍ଷରେ ଭୋଟ ନ ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଜି କିଶନ ରେଡ୍ଡୀ ଅଲ ଇଣ୍ଡିଆ ମଜଲିସ ଇତେହାଦୁଲ ମୁସଲିମ (ଏଆଇଏମଆଇଏମ) କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଏଆଇଏମଆଇଏମ ହେଉଛି ଏକମାତ୍ର ଦଳ ଯିଏକି ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ବିରୋଧରେ ଭୋଟ ଦେଇଛନ୍ତି। ଏଆଇଏମଆଇଏମ ସୁପ୍ରିମୋ ଅସଦୁଦ୍ଦିନ ଓୱାଇସି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଗୁରୁ ଏବଂ ମୁଁ କେସିଆର୍‌ଙ୍କୁ ପଚାରିବାକୁ ଚାହୁଁଛି ଯେ, ସେ ମହିଳାଙ୍କ ବିରୋରେ ଥିବା ଏକ ପାର୍ଟିକୁ କିପରି ବନ୍ଧୁତା କରିପାରିବେ। କେଏଲଆର ତେଲେଙ୍ଗାନାର ଲୋକଙ୍କୁ ଜବାବ ଦେବା ଉଚିତ।
ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ (ନାରୀଶକ୍ତି ବନ୍ଦନ ଅଧିନିୟମ) ଉଭୟ ଲୋକ ସଭା ଏବଂ ରାଜ୍ୟ ସଭା ଦ୍ୱାରା ସହଜରେ ପାରିତ ହୋଇଥିଲା। ରାଜ୍ୟ ସଭାରେ ଏହି ବିଲ୍‌କୁ ସମର୍ଥନ କରି ୨୧୪ ଭୋଟ ଦିଆଯାଇଥିବାବେଳେ କେହି ଏହାକୁ ବିରୋଧ କରି ନାହାଁନ୍ତି।
ଏହାପୂର୍ବରୁ ସେପ୍ଟେମ୍ବର ୨୦ ଏହି ବିଲ ଲୋକ ସଭାରେ ପାରିତ ହୋଇଥିଲା। ସଂସଦର ନିମ୍ନ ଗୃହରେ ୪୫୪ ଭୋଟ ବିଲ ସପକ୍ଷରେ ଥିବାବେଳେ ୨ଟି ଭୋଟ ବିପକ୍ଷରେ ଦିଆଯାଇଥିଲା। ଆଇଏମଆଇଏମ ଏମ୍‌ପି ଅସଦୁଦ୍ଦିନ ଓୱାଇସି ଏବଂ ଇମତିଆଜ ଜଲିଲ ଏହି ବିଲ ବିରୋଧରେ ଭୋଟ ଦେଇଥିଲେ।

Share