ଜି.ଉଦୟଗିରି ଏନ୍‌ଏସିରେ ସ୍ବାୟତ୍ତ ଶାସନ ଦିବସ

ଜି.ଉଦୟଗିରି,୩୧ା୮(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୁରୁବାର ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପ୍ରାକ୍ତନ ଅଧ୍ୟକ୍ଷା ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଅକାଳ ବିୟୋଗ ହେତୁ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସର୍ବସମ୍ମତି କ୍ରମେ ବନ୍ଦ ରଖାଯାଇଛି। ଏନ୍‌ଏସି ପରିସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ବାଘଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହି ଅବସରରେ ଭାରପ୍ରାପ୍ତ ଅଧ୍ୟକ୍ଷ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ନିଜର
ଅଭିଭାଷଣ ରଖିଥିଲେ। ଉପସ୍ଥିତ ସମସ୍ତ କାଉନସିଲର, ପରିଷଦ କର୍ମକର୍ତ୍ତା, ସଫେଇ କର୍ମଚାରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ତତ୍‌ସହିତ ବିଭିନ୍ନ କର୍ମଚାରୀଙ୍କୁ ନିଜ ନିଜ ଦାୟିତ୍ୱ ସୂଚାରୁରୂପେ ତୁଲାଇଥିବାରୁ ପୁରସ୍କୃତ କରାଯାଇଥିଲା। ଉପସ୍ଥିତ ସମସ୍ତ ଭଦ୍ରମଣ୍ଡଳୀ ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନିକୁନି ପିଲାଙ୍କ ଗହଣରେ ପ୍ରଭାତ ଫେରି କରାଯାଇ ଗାନ୍ଧୀ ଛକଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ବନ୍ଧଛକଠାରେ ଥିବା ବୀର ଚକରା ବିଷୋୟୀ ଏବଂ ପଦାସାହିସ୍ଥିତ ଅମର ବୀର ଶହୀଦ ଯବାନ ବବ୍ରୁବାହନ ପ୍ରଧାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଶେଷରେ ହସ୍ପିଟାଲରେ ଫଳ ଓ ଜେଲ୍‌ରେ ଅନ୍ତବାସୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।