Categories: ଜାତୀୟ

ଦିଲ୍ଲୀରେ ବର୍ଷା ଯୋଗୁ ଭାରତ ମଣ୍ଡପମରେ ପାଣି, କଂଗ୍ରେସ କହିଲା ପହଁରୁଛି ବିକାଶ

ନୂଆଦିଲ୍ଲୀ,୧୦।୯: ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀ ମଧ୍ୟରେ ରବିବାର ରାଜଧାନୀରେ ଖୁବ ବର୍ଷା ହୋଇଛି, ଫଳରେ ଆୟୋଜନ ସ୍ଥଳରେ ପାଣି ଭର୍ତ୍ତି ହୋଇ ଯାଇଛି।ଜି -୨୦ ସଦସ୍ୟଙ୍କ ଆଗମନକୁ ନେଇ ନିର୍ମିତ ଭାରତ ମଣ୍ଡପମର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଚାରିଆଡେ ପାଣି ଦେଖାଯାଉଛି। ଏ ସମ୍ପର୍କରେ କଂଗ୍ରେସ ମୋଦି ସରକାରଙ୍କୁ ଟାର୍ଗେଟ କରିଛି।
ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭରତ ମଣ୍ଡପମଙ୍କ ପାଣିରେ ଭର୍ତ୍ତି ହୋଇଥିବା ଭିଡିଓ ସେୟାର କରି ଭାରତୀୟ ଯୁବ କଂଗ୍ରେସର ଅଧ୍ୟକ୍ଷ ବିଭି ଶ୍ରୀନିବାସ ଲେଖିଛନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚରେ ଜି-୨୦ ସଦସ୍ୟଙ୍କ ଆଗମନ ଲାଗି ନିର୍ମାଣ କରାଯାଇଥିବା ‘ଭାରତ ମଣ୍ଡପମ’ର ଫଟୋ, ବିକାଶ ପହଁରୁଛି ବା ଗାଧୋଉଛି … ’।
ସମାନ ଭିଡିଓ କଂଗ୍ରେସର ଅଫିସିଆଲ ମିଡିଆ ପ୍ଲାଟଫର୍ମ ଆଇଏନସି-ଟିଭି ଦ୍ୱାରା ଏକ୍ସରେ ସେୟାର କରାଯାଇଛି। ଏଠାରେ ଲେଖାଯାଇଥିଲା – ମିଛ ବିକାଶର ମୁଖା ଖୋଲିଛି। ଭାରତ ମଣ୍ଡପମ ଜି -୨୦ ପାଇଁ ପ୍ରସ୍ତୁତ ହୋଇଥିଲା। ୨,୭୦୦ କୋଟି ଟଙ୍କା ବିନିଯୋଗ କରାଯାଇଥିଲା। ହେଲେ ଗୋଟିଏ ବର୍ଷାରେ ପାଣି ଭରିଗଲା।
ସେହିଭଳି ଭରତ ମଣ୍ଡପମ ସମ୍ମିଳନୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ, ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନେଙ୍କ ସମେତ ୩୦ରୁ ଅଧିକ ଦେଶ ତଥା ସଂଗଠନର ନେତାଙ୍କୁ ଏକତ୍ର କରିଛନ୍ତି।

Share