ଜି-୨୦ ଶିଖର ସମ୍ମିଳନୀ ମଧ୍ୟରେ ଭିଏତନାମ ଗସ୍ତରେ ଗଲେ ବାଇଡେନ, ଯିବା ପୂର୍ବରୁ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରବିବାର ସକାଳେ ଭିଏତନାମ ଅଭିମୁଖେ ଯାତ୍ରା କରିଛନ୍ତି। ଭାରତ ଛାଡିବା ପୂର୍ବରୁ ବାଇଡେନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ସ୍ମୃତିସ୍ଥଳ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଜୋ ବାଇଡେନ ଶୁକ୍ରବାର ବିଳମ୍ବିତ ରାତିରେ ଭାରତ ଆସିଥିଲେ। ସେ ଭାରତରେ ପହଞ୍ଚିବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଥିଲେ। ଏହି ଆଲୋଚନା ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଭାଗିଦାରୀକୁ ଗଭୀର ଏବଂ ବିବିଧ କରିବା ବିଷୟରେ ଆଲୋଚନା ହୋଇଥିଲା।
ସେ ୩୧ ଟି ଡ୍ରୋନ କିଣିବା ଏବଂ ମିଳିତ ଭାବେ ଜେଟ ଇଞ୍ଜିନ ବିକାଶ ଦିଗରେ ଭାରତର ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଶନିବାର ବାଇଡେନ ଜି -୨0୦ ଶିଖର ସମ୍ମିଳନୀରେ ମଧ୍ୟ ଭାଗ ନେଇଥିଲେ।
ଶନିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଆମେରିକାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଉଥିଲେ, ଯେଉଁଥିରେ ତାଙ୍କୁ ଚାଇନା ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା। ତାଙ୍କୁ ପଚରାଯାଇଥିଲା କି ସି ଜିନପିଙ୍ଗଙ୍କ ଅନୁପସ୍ଥିତି ଜି -୨୦ ନେତାଙ୍କ ଶିଖର ସମ୍ମିଳନୀରେ କୌଣସି ପ୍ରଭାବ ପକାଇଛି କି ନାହିଁ। ଏହାର ଜବାବରେ ସେ କହିଛନ୍ତି, ‘ଯଦି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଉପସ୍ଥିତ ରହିଥାଆନ୍ତେ ତେବେ ଭଲ ହୋଇଥାନ୍ତା, କିନ୍ତୁ ଏହି (ସମ୍ମିଳନୀ) ଏକ ଉତ୍ତମ ଢଙ୍ଗରେ ଚାଲିଛି।’

Share