Categories: ଜାତୀୟ

ଜି-୨୦ରେ ମୋଦିଙ୍କ ସମ୍ବୋଧନ ସମୟରେ ନେମପ୍ଲେଟରେ ଲେଖାଯାଇଛି ‘ଭାରତ’

ନୂଆଦିଲ୍ଲୀ,୯।୯: ଦିଲ୍ଲୀର ପ୍ରଗତି ମଇଦାନରେ ଭାରତ ମଣ୍ଡପମରେ ଚାଲିଥିବା ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ନେତାଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ତାଙ୍କ ସାମ୍ନାରେ ରଖାଯାଇଥିବା ନେମପ୍ଲେଟରେ ‘ଭାରତ’ ଲେଖାଯାଇଥିବା ଦେଖାଯାଇଥିଲା। ଘଟରା ହେଲା ଏବେ ଦେଶରେ ‘ଭାରତ’ ବନାମ ‘ଇଣ୍ଡିଆ’କୁ ନେଇ ଏକ ଜୋରଦାର ବିତର୍କ ଚାଲିଛି ଏବଂ ଇଣ୍ଡିଆର ନାମ ଭାରତକୁ ପରିବର୍ତ୍ତନ କରାଯାଇପାରିବ ବୋଲି କଳ୍ପନାଜଳ୍ପନା କରାଯାଉଛି। ଆଉ ବିଶ୍ୱ ସ୍ତରର ଏହି ଶିଖର ସମ୍ମିଳନୀରେ ଭାରତ ଲେଖାଥିବା ନେମପ୍ଲେଟ ଦେଖିବା ପରେ ଏବେ ପୁଣିଥରେ ରାଜନୀତି ଆରମ୍ଭ ହୋଇଯାଇପାରେ ବୋଲି ଅନୁମାନ କରାଯାଉଛି।

ଏହା ସହିତ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ସୋସିଆଲ ମିଡିଆ ସାଇଟ ଏକ୍ସ (ପୂର୍ବରୁ ଟୁଇଟର) ରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ଆଶା ଏବଂ ବିଶ୍ୱାସର ନୂଆ ନାମ – ଭାରତ।

Share