ନୂଆଦିଲ୍ଲୀ,୯।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଭାରତ ମଣ୍ଡପମରେ ବିଦେଶୀ ନେତାଙ୍କ ସମ୍ମାନାର୍ଥେ ଏକ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି। ଯେଉଁଥିରେ ଦେଶର ଅନେକ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି। ତେବେ ରାଜ୍ୟ ସଭାରେ କଂଗ୍ରେସ ଅଧ୍ୟକ୍ଷ ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଏହି ରାତ୍ରୀ ଭୋଜନକୁ ନିମନ୍ତ୍ରଣ କରାଯାଇ ନାହିଁ, ଯାହାକୁ ନେଇ ବିବାଦ ସୃଷ୍ଟି କରିଛି। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ତିନି କଂଗ୍ରେସ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ରାତ୍ରୀ ଭୋଜନ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ରାଜସ୍ଥାନ ସିଏମ ଅଶୋକ ଗେହଲଟ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଜି -୨୦ ରାତ୍ରୀ ଭୋଜନରେ ଯୋଗଦେବେ ନାହିଁ। କଂଗ୍ରେସର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ଏହି ସୂଚନା ଦେଇଛନ୍ତି। ତେବେ ହିମାଚଳ ପ୍ରଦେଶର କଂଗ୍ରେସ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ରାତ୍ରୀ ଭୋଜନରେ ସାମିଲ ହୋଇପାରନ୍ତି ଏବଂ ସେ ଶିମଲା ଠାରୁ ଦିଲ୍ଲୀ ମଧ୍ୟ ଯାଇଛନ୍ତି।