ଜମ୍ମୁ-କଶ୍ମୀରରେ ଜି-୨୦ ସମ୍ମିଳନୀ, ଚାଇନା ଦେଲା ଏଭଳି ଉତ୍ତର…

ବେଜିଂ, ୧।୭ : ଆସନ୍ତା ୨୦୨୩ ବର୍ଷ ଜାମ୍ମୁ କାଶ୍ମୀରରେ ଜି -୨୦ ସମ୍ମିଳନୀ ଆୟୋଜନ କରିବାକୁ ଭାରତ ଯୋଜନା କରୁଥିବା ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନା ଏହାକୁ ବିରୋଧ କରିଛି ଏବଂ ଏହାର ଘନିଷ୍ଠ ସହଯୋଗୀ ପାକିସ୍ତାନ ସହିତ ମିଳିତ ଭାବେ କହିଛି ଯେ, ଭାରତ ଏକ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ ସରକାରୀ ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଆମେ ପ୍ରାସଙ୍ଗିକ ତଥ୍ୟ ଦେଖିଛୁ। କାଶ୍ମୀର ଉପରେ ଚାଇନାର ଆଭିମୁଖ୍ୟ ସ୍ଥିର ଏବଂ ସ୍ପଷ୍ଟ ରହିଛି। ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ସ୍ବତନ୍ତ୍ର ପ୍ରସଙ୍ଗ । ମିଳିତ ଜାତିସଂଘର ସଂକଳ୍ପ ଏବଂ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଏହାର ସଠିକ ସମାଧାନ ହେବା ଉଚିତ।

ସେ କହିଛନ୍ତି ଯେ ସମ୍ପୃକ୍ତ ପକ୍ଷମାନେ ଏକପାଖିଆ ପଦକ୍ଷେପ ଦ୍ୱାରା ପରିସ୍ଥିତିକୁ ଜଟିଳ କରିବା ଦୂରେଇ ରହିବା ଜରୁରୀ। ଆଲୋଚନା ଏବଂ ପରାମର୍ଶ ମାଧ୍ୟମରେ ବିବାଦର ସମାଧାନ କରିବା ଏବଂ ମିଳିତ ଭାବରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଜାଓ ଲିଜିଆନ କହିଛନ୍ତି ଯେ ଅନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ଜି -୨୦ହେଉଛି ମୁଖ୍ୟ ଫୋରମ। ଆମେ ସମସ୍ତ ପ୍ରମୁଖ ଅର୍ଥନୀତି ମାଧ୍ୟମରେ ବିଶ୍ୱ ଅର୍ଥନୀତିର ନିରନ୍ତର ପୁନରୁଦ୍ଧାର ଉପରେ ଧ୍ୟାନ ଦେବା ଜରୁରୀ। ଏଭଳି ପ୍ରାସଙ୍ଗିକ ପ୍ରସଙ୍ଗର ରାଜନୀତିକରଣରୁ ନିବୃତ୍ତ ହେବା ଏବଂ ବିଶ୍ୱର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ସକରାତ୍ମକ ସହଯୋଗ କରିବାକୁ ଆହ୍ବାନ ଜଣାଉଛୁ।

ଏଥି ସହିତ, ଯେତେବେଳେ ଗଣମାଧ୍ୟମ ମୁଖପାତ୍ରଙ୍କୁ ପଚାରିଲା, ଜି -୨୦ବୈଠକରେ ଚାଇନା ଯୋଗଦେବ କି? ଏହାର ଜବାବ ଦେଇ ଜାଓ ଲିଜିଆନ କହିଛନ୍ତି ଯେ ଆମେ ବୈଠକରେ ଯୋଗଦେବୁ କି ନାହିଁ ତାହା ଆନୁଷ୍ଠାନିକ ଭାବରେ ବିଚାର କରିବୁ।

ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ର ବିବାଦୀୟ ଅଞ୍ଚଳରେ ଚାଇନା-ପାକିସ୍ଥାନ ଅର୍ଥନନୈତିକ କରିଡର ନିର୍ମାଣ ଏବଂ ଭାରତର ଏହାକୁ ନେଇ ଆପତ୍ତି ବିଷୟରେ ପଚରାଯିବାରୁ ସେ କହିଛନ୍ତି ଯେ ଏହି ଦୁଇଟି ବିଷୟ ସମ୍ପୂର୍ଣ୍ଣ ଭିନ୍ନ। ପାକିସ୍ତାନର ଅର୍ଥନୀତିର ବିକାଶ ତଥା ଏହାର ଲୋକଙ୍କ ଜୀବିକା ନିର୍ବାହ ପାଇଁ ଚାଇନା ପ୍ରକଳ୍ପ ଜାରି ରଖିଛି। ସେ କହିଛନ୍ତି ଯେ କିଛି ପ୍ରକଳ୍ପ କଶ୍ମୀରର ସେହି ଅଂଶରେ ଅଛି ଯାହା ପାକିସ୍ତାନ ଅଧୀନରେ ଅଛି। ଏହି ପ୍ରକଳ୍ପଗୁଡିକ ଚଳାଉଥିବା ସମ୍ପୃକ୍ତ ଚାଇନିଜ କମ୍ପାନୀଗୁଡିକ ସ୍ଥାନୀୟ ଲୋକଙ୍କୁ ସେମାନଙ୍କର ଅର୍ଥନୀତିର ବିକାଶ ତଥା ଜୀବିକା ନିର୍ବାହରେ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କରାଯାଉଛି।

Share