Categories: ଜାତୀୟ

ଜି-୨୦ର ଅଧ୍ୟକ୍ଷତା ପାଇଁ ୧୩୧୦ କୋଟି ଆବଣ୍ଟନ କରିଛି କେନ୍ଦ୍ର, ରାଜ୍ୟ ସଭାରେ ସରକାର ଦେଲେ ସୂଚନା

ନୂଆଦିଲ୍ଲୀ,୯।୧୨: ଦେଶରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ୨୦୨୩ ପାଇଁ ହୋଇଥିବା ଖର୍ଚ୍ଚକୁ ନେଇ ବିବାଦ ଉପରେ ବୈଦେଶିକ ରାଜ୍ୟମନ୍ତ୍ରୀ ବି ମୁରଲୀଧରନ ଶୁକ୍ରବାର ରାଜ୍ୟ ସଭାରେ ଉତ୍ତର ଦେଇ କହିଛନ୍ତି, କେନ୍ଦ୍ର ମୋଟ ୧୩୧୦ କୋଟି ଟଙ୍କା ଆବଣ୍ଟନ କରିଛି। ରାଜ୍ୟ ସଭାରେ ତୃଳମୂଳ କଂଗ୍ରେସ (ଟିଏମସି) ଏମ୍‌ପି ସାକେତ ଗୋଖଲେଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏହି ସୂଚନା ଦେଇଛନ୍ତି।

ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଆର୍ଥିକ ବର୍ଷ ୨୦୨୨-୨୩ ରେ ଭାରତର ଜି-୨୦ ପ୍ରେସିଡେନ୍ସି ଏବଂ ଶିଖର ସମ୍ମିଳନୀ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଆବଣ୍ଟିତ ବଜେଟ ୩୨୦ କୋଟି ଥିଲା ଏବଂ ଆର୍ଥିକ ବର୍ଷ ୨୦୨୩-୨୪ରେ ୯୯୦ କୋଟି ଟଙ୍କା ଥିଲା ବୋଲି ସେ କହିଛନ୍ତି। ସମଗ୍ର ଭାରତରେ ଜି -୨୦ ଶିଖର ସମ୍ମିଳନୀ ଏବଂ ଏହାର ଆନୁସଙ୍ଗିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜି-୨୦ ସଚିବାଳୟ ଦ୍ୱାରା ହୋଇଥିବା ପ୍ରକୃତ ଖର୍ଚ୍ଚ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ବିଲ ଗୁଡିକ ଗ୍ରହଣ ଏବଂ ପ୍ରକ୍ରିୟାକରଣ କରାଯାଉଛି।

Share