ବାଇଡେନଙ୍କ ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୦।୯: ଜି-୨୦ ଶିଖର ସମ୍ମିଳନୀ ରବିବାର ଶେଷ ହେବାକୁ ଯାଉଛି। ଅନେକ ବିଦେଶୀ ଅତିଥି ଏବଂ ବିଭିନ୍ନ ଦେଶର ମୁଖ୍ୟମାନେ ବର୍ତ୍ତମାନ ନିଜ ଦେଶକୁ ଫେରିବା ଆରମ୍ଭ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଭିଏତନାମ ଫେରିଛନ୍ତି। କିନ୍ତୁ ଶନିବାର ଏପରି କିଛି ଘଟଣା ଘଟିଥିଲା ଯାହା ସମସ୍ତ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଆମେରିକା ରାଷ୍ଟ୍ରପତି ଶୁକ୍ରବାର ୮ସେପ୍ଟେମ୍ବର ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀ ଏୟାରପୋର୍ଟରୁ ଜି-୨୦ବୈଠକ ଭାରତ ମଣ୍ଡପମକୁ ସେ ତାଙ୍କ ସରକାରୀ ଗାଡି ଦି ବିଷ୍ଟ୍‌ରେ ବସି ଆସିଥିଲେ। ଏହା ଏକ ବୁଲେଟଫ୍ରୁଫ୍‌ ଗାଡି। ବାଇଡେନଙ୍କ କଡା ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ଆମେରିକାରୁ ଭାରତକୁ ଅଣାଯାଇଥିଲା।

ତେବେ ଭାରତରେ ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷା ପାଇଁ କଡାକଡି ବ୍ୟବସ୍ଥା କରାଯାଇଥିଲା। ଅନେକ ଆମେରିକୀୟ ଗାଡି ତାଙ୍କ ସହ ଭାରତକୁ ଅଣାଯାଇଥିଲା। ସେହିପରି ଭାରତ ସରକାର ମଧ୍ୟ ତାଙ୍କ ଯାତୟାତ ପାଇଁ ଗାଡି ଯୋଗାଇ ଦେଇଥିଲେ। ସେଥିରେ ଏକ କାର ଥିଲା ଏର୍ଟିଗା। ଯାହାର ଡ୍ରାଇଭର କିଛି ବ୍ୟକ୍ତିଗତ ଲୋକଙ୍କୁ ନେଇ ତାଜ ମାନ ସିଂ ହୋଟେଲରେ ପହଞ୍ଚିଥିଲେ। ଯେତେବେଳେ କି ସେ ବାଇଡେନଙ୍କୁ ନବା ଆଣିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି କାରରେ ଅନେକ ସୁରକ୍ଷା ସମ୍ବନ୍ଧୀୟ ଷ୍ଟିକର୍‌ ଥିଲା। ଡ୍ରାଇଭରଙ୍କୁ ଚିହ୍ନିବା ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ପଚରାଉଚରା ପରେ ଗିରଫ କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରିଥିଲା। ଯେଉଁଥିରୁ ଜଣାପଡିଥିଲା କି, ଡ୍ରାଇଭର ଜଣଙ୍କ ନିଜ ବ୍ୟକ୍ତିଗତ ଗ୍ରାହକଙ୍କୁ ହୋଟେଲକୁ ପହଞ୍ଚାଉଥିଲେ। ଏହା ଜାଣିବା ପରେ ପୋଲିସ ତାଙ୍କୁ ଛାଡି ଦେଇଥିଲା।

Share