ଜି ୭: ରୁଷିଆ ଉପରେ ଚାପ

ଏଲ୍‌ମଉ,୨୭ା୬: ରୁଷିଆକୁ ମହଙ୍ଗା ପଡ଼ିବ ୟୁକ୍ରେନ୍‌ ଆକ୍ରମଣ। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ରୁଷିଆ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଜାରି କରୁଥିବାବେଳେ ଆଗକୁ ସେଠାରୁ ସୁନା ଆମଦାନୀ ମଧ୍ୟ ବନ୍ଦ କରାଯିବ ବୋଲି ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ଜର୍ମାନୀର ଏଲ୍‌ମଉ ସହରରେ ମଙ୍ଗଳବାର ହେବାକୁ ଥିବା ଜି ୭ର ବାର୍ଷିକ ସମ୍ମିଳନୀରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇପାରେ। କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍‌ ଓ ଆମେରିକାକୁ ନେଇ ଗଠିତ ଆନ୍ତଃ ସରକାରୀ ରାଜନୈତିକ ମଞ୍ଚ ଜି ୭ ରୁଷିଆରୁ ସୁନା ଆମଦାନୀ ଉପରେ କଟକଣା ଜାରି କରାଗଲେ ମସ୍କୋର ଆର୍ଥିକ ସ୍ଥିତି ଆହୁରି ଖରାପ ହେବା ଆଶଙ୍କା କରାଯାଉଛି। ଏହାବାଦ୍‌ ୟୁକ୍ରେନ୍‌ ଆକ୍ରମଣ ଯୋଗୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ଓ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଏହି ସମ୍ମିଳନୀରେ ରଣନୀତି ପ୍ରସ୍ତୁତ କରାଯିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏନେଇ ଜି ୭ ନେତାମାନଙ୍କ ସହ ଆଲୋଚନା କରିଛନ୍ତି। ବାଇଡେନ୍‌ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରୁଷିଆ ସର୍ବାଧିକ ଶକ୍ତି ରପ୍ତାନି କରିଥାଏ। ଏହା ପରେ ସୁନା ରପ୍ତାନି କରି ଅଧିକ ଅର୍ଥ ପାଇଥାଏ। ସୁନା ରପ୍ତାନି ଉପରେ କଟକଣା ଜାରି କଲେ ବିଶ୍ୱ ବଜାରରେ ମସ୍କୋର ଯୋଗଦାନ କାଠିକର ହୋଇଯିବ। ସୁନା ବିକ୍ରି କରି ରୁଷିଆ ବିପୁଳ ଅର୍ଥ ଠୁଳ କରୁଥିବା ବାଇଡେନ୍‌ଙ୍କ ଟୁଇଟର ଫିଡ୍‌ ପକ୍ଷରୁ କୁହାଯାଇଛି। ହ୍ବାଇଟ୍‌ ହାଉସ୍‌ କହିଛି, ୨୦୨୦ରେ ରୁଷିଆ ସୁନା ରପ୍ତାନିରୁ ୧୯ ବିଲିୟନ୍‌ ଡଲାର ଠୁଳ କରିଥିଲା। ଏହାର ମୋଟ ସୁନା ରପ୍ତାନିର ୯୦% ଜି ୭ ରାଷ୍ଟ୍ରଗୁଡ଼ିକ ଆମଦାନୀ କରିଥାଆନ୍ତି। ଏସବୁକୁ ଧ୍ୟାନରେ ରଖି ବାଇଡେନ୍‌ କହିଛନ୍ତି, ରୁଷିଆକୁ ଏକଘରିକିଆ କରିବା ପାଇଁ ଆମକୁ ଏକାଠି ହେବାକୁ ପଡ଼ିବ। ମସ୍କୋ ଉପରେ ଚାପ ପ୍ରୟୋଗ ୟୁକ୍ରେନ୍‌ଠାରୁ ଏହାକୁ ଦୂରେଇ ରଖିବା ପାଇଁ ଏକ ବଡ଼ ଅସ୍ତ୍ର।

ସମ୍ମିଳନୀ ପୂର୍ବରୁ କିଭ୍‌ରେ କ୍ଷେପଣାସ୍ତ୍ର ମାଡ଼

କିଭ୍‌,୨୬ା୬: ଜର୍ମନୀରେ ଜି ୭ ସମ୍ମିଳନୀ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ରୁଷିଆ ପକ୍ଷରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ରେ ପୁଣି କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ମିଶାଇଲ୍‌ ମାଡ଼ରେ କେତୋଟି କୋଠା ଧରାଶାୟୀ ହୋଇଯାଇଛି। ଏଥିସହ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା କିଭ୍‌ ମେୟର ଭିତାଲି କ୍ଲିଟ୍‌ସ୍କୋ ସୂଚନା ଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ଏହା ହେଉଛି ରୁଷୀୟ ସୈନ୍ୟଙ୍କ ପକ୍ଷରୁ ଏହି ଧରଣର ପ୍ରଥମ ଆକ୍ରମଣ।

ଜି ୭ କ’ଣ

ଜି ୭ ହେଉଛି କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ୍‌ ଓ ଆମେରିକାକୁ ନେଇ ଗଠିତ ଏକ ଆନ୍ତଃ ସରକାରୀ ରାଜନୈତିକ ମଞ୍ଚ। ଏଥିରେ ୟୁରୋପୀୟ ସଂଘ (ଇୟୁ)କୁ ମଧ୍ୟ ସାମିଲ କରାଯାଇଛି। ଜି-୭ ସଦସ୍ୟ ରାଷ୍ଟ୍ରଗୁଡ଼ିକ ହେଉଛନ୍ତି ବିଶ୍ୱର ସର୍ବାଧିକ ବିକଶିତ ଅର୍ଥନୀତି ଏବଂ ଧନୀ ଉଦାରବାଦୀ ଗଣତନ୍ତ୍ର। ୨୦୨୦ରେ ବିଶ୍ୱର ମୋଟ ସମ୍ପତ୍ତିର ୫୦%ରୁ ଊର୍ଦ୍ଧ୍ୱ (୪୧୮ ଟ୍ରିଲିୟନ୍‌ ଡଲାର) ଏବଂ ବୈଶ୍ୱିକ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩୨ରୁ ୪୬% ଯୋଗଦାନ ଏହି ରାଷ୍ଟ୍ର ସମୂହର ରହିଥିଲା। ବିଶ୍ୱ ଜନସଂଖ୍ୟାର ୧୦% ଅର୍ଥାତ୍‌ ପ୍ରାୟ ୭୭୦ ନିୟୁତ ଜି-୭ ରାଷ୍ଟ୍ରଗୁଡ଼ିକରେ ବସବାସ କରନ୍ତି। ଏହାର ସଦସ୍ୟଗୁଡ଼ିକୁ ଅନ୍ତର୍ଜାତୀୟ, ରାଜନୈତିକ, ଅର୍ଥନୈତିକ, ସାମାଜିକ, ଆଇନଗତ, ପରିବେଶ, ସାଂସ୍କୃତିକ, ଧର୍ମୀୟ ସାମରିକ ଓ କୂଟନୈତିକ ବ୍ୟାପାର ମହାଶକ୍ତି ରୂପେ ବିବେଚନା କରାଯାଏ। ବ୍ରିଟେନ ପରେ ଚଳିତ ବର୍ଷ ଜର୍ମାନୀ ଏଥିରେ ଅଧ୍ୟକ୍ଷତା କରୁଛି। ୧୯୭୩ରେ ଅର୍ଥମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଏକ ଅସ୍ଥାୟୀ ବୈଠକରୁ ଉଦ୍ଭବ ଜି ୭ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପ୍ରସଙ୍ଗର ସମାଧାନ ପାଇଁ ନେତୃତ୍ୱ ନେଇଆସୁଛି। ରୁଷିଆ ୧୯୯୭ରୁ ୨୦୧୪ ପର୍ଯ୍ୟନ୍ତ ରାଜନୈତିକ ମଞ୍ଚ ଜି ୮ର ସଦସ୍ୟ ଥିଲା। ମସ୍କୋର କ୍ରିମିଆ ଦଖଲ ପରେ ୨୦୧୪ ମାର୍ଚ୍ଚରେ ଜି ୭ ରାଷ୍ଟ୍ରଗୁଡ଼ିକ ରୁଷିଆକୁ ଏଥିରୁ ନିଲମ୍ବନ କରିଥିଲେ। ୨୦୧୭ ଜାନୁୟାରୀରେ ରୁଷିଆ ଜି ୮ରୁ ସବୁଦିନ ପାଇଁ ଓହରିବା ନେଇ ଘୋଷଣା କରିଥିଲା, ଯାହାକି ୨୦୧୮ ଜୁନ୍‌ରୁ ଲାଗୁ ହୋଇଥିଲା।

Share