ଗଡ଼ଗଡ଼ିଆଘାଟ ପାହାଚ ଭୁଶୁଡ଼ି ବିରାଟ ଗର୍ତ୍ତ

କଟକ,୨୨ା୯(ସୁପ୍ରିୟା ପ୍ରିୟଦର୍ଶିନୀ): ମହାନଦୀ କୂଳରେ ଗଡ଼ଗଡ଼ିଆ ଘାଟରେ ନିର୍ମାଣ ହୋଇଥିବା କେତେକ ପାହାଚ ଧସିଯାଇଥିବା ଦେଖିବାକୁ ମିଳିଛି। ମାଟି ଧସିବା ଯୋଗୁ ସିମେଣ୍ଟ ନିର୍ମିତ ପାହାଚ ଭୁଶୁଡ଼ି ସେଠାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ନିମ୍ନମାନର କାମ ନଚେତ ବର୍ଷା ଯୋଗୁ ଏହା ଧସିଥିବା ଅନୁମାନ କରାଯାଉଛି। ରବିବାର ସନ୍ଧ୍ୟା ସମୟରେ କେତେଜଣ ବ୍ୟକ୍ତି ସେଠାରେ ବୁଲୁଥିବା ବେଳେ ହଠାତ ଶବ୍ଦ ଶୁଭିଥିଲା। ସେମାନେ ସେଠାରେ ପହଞ୍ଚି ପାହାଚ ଧସିଯାଇଥିବା ଦେଖିବାକୁ ପାଇଥିଲେ।
୨ବର୍ଷ ପୂର୍ବେ ଏଠାରେ ପ୍ରଶାସନ ପକ୍ଷରୁ ପାହାଚ ନିର୍ମାଣ କରାଯିବା ସହିତ ନଦୀକୂଳରେ ବସିବା ନିମନ୍ତେ ସିମେଣ୍ଟ ଚୌକି ତିଆରି ହୋଇଥିଲା। ହେଲେ ଉକ୍ତ ସ୍ଥାନରେ ଏବେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ସକାଳ ଓ ସନ୍ଧ୍ୟା ହେଲେ ଯୁବବର୍ଗ, ବରିଷ୍ଠ ନାଗରିକମାନେ ଭ୍ରମଣ କରିବାକୁ ଏଠାକୁ ଆସିଥାନ୍ତି। ବିଶେଷତଃ ଯୁବବର୍ଗଙ୍କ ରିଲ୍‌ ଓ ଖଟି ପାଇଁ ପସନ୍ଦର ସ୍ଥାନ। ସେହିଭଳି ସିଏମ୍‌ସି ପକ୍ଷରୁ ନିର୍ମାଣ ହୋଇଥିବା କଟକ-ଇନ୍‌-କଟକରେ ପିଲାଙ୍କ ଗହଳି ହୋଇଥାଏ। ହେଲେ ପ୍ରାୟ ୪ଟି ଶିିଡି କ୍ଷତିଗ୍ରସ୍ତ ହୋଇ ଗର୍ତ୍ତ ସୃଷ୍ଟି ହୋଇଛି। ଶିଡ଼ି ଭୁଶୁଡ଼ି ଗର୍ତ୍ତ ସୃଷ୍ଟି ହେବାନେଇ ୫ ଦିନ ବିତିଥିଲେ ମଧ୍ୟ ଏହାର ମରାମତି ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଯାହା ସେଠାକୁ ବୁଲିଯାଉଥିବା ଲୋକଙ୍କ ପ୍ରତି ବିପଦରେ ପଡିବା ଆଶଙ୍କାକୁ ଏଡ଼ାଇ ହେବନାହିଁ।