ରାଷ୍ଟ୍ରପତି ଦୌଡ଼ରେ ଗଦ୍ଦାଫିଙ୍କ ପୁଅ

ତ୍ରିପୋଲି,୧୫।୧୧: ଲିବ୍ୟାର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ମୁଆମାର ଅଲ୍‌-ଗଦ୍ଦାଫିଙ୍କ ବଡ଼ପୁଅ ସୈଫ୍‌-ଅଲ୍‌-ଅସ୍‌ଲମ ଅଲ୍‌-ଗଦ୍ଦାଫି ଦେଶର ରାଷ୍ଟ୍ରପତି ଦୌଡ଼ରେ ସାମିଲ ହୋଇଛନ୍ତି। ଆସନ୍ତା ଡିସେମ୍ବର ୨୪ରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ସେ ରବିବାର ନାମାଙ୍କନପତ୍ର ଦାଖଲ କରିଥିବା ଲିବ୍ୟା ନିର୍ବାଚନ କମିଶନ କାର୍ଯ୍ୟାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ଲିବ୍ୟା ରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜ ନାମ ପଞ୍ଜୀକରଣ କରିଥିବା ଅନ୍ୟମାନେ ହେଲେ ଇଷ୍ଟର୍ନ ମିଲିଟାରି କମାଣ୍ଡର ଖଲିଫା ହଫ୍‌ତାର, ପ୍ରଧାନମନ୍ତ୍ରୀ ଅବଦୁଲ୍ଲାହମିଦ୍‌ ଅଲ୍‌-ଦେଇବା ଏବଂ ପାର୍ଲାମେଣ୍ଟ ବାଚସ୍ପତି ଅଗୁଇଲା ସାଲେହ। ଆଶାୟୀଙ୍କ ତାଲିକାରେ ସବୁଠୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଭାବେ ଏବେ ଗଦ୍ଦାଫିଙ୍କ ୪୯ ବର୍ଷୀୟ ପୁଅ ସୈଫ୍‌ ଯୋଡ଼ି ହୋଇଛନ୍ତି। ଧୂସର ଦାଢ଼ି ଓ ଚଷମାଧାରୀ ସୈଫ୍‌ ସେଭା ସହରସ୍ଥିତ ପଞ୍ଜୀକରଣ କେନ୍ଦ୍ରରେ ନାମାଙ୍କନ ପାଇଁ ଦସ୍ତାବିଜରେ ସ୍ବାକ୍ଷର କରିଛନ୍ତି। ସୋସିଆଲ ମିଡିଆରେ ପ୍ରସାରିତ ଫଟୋଗୁଡ଼ିକରେ ତାଙ୍କୁ ପାରମ୍ପରିକ ବ୍ରାଉନ୍‌ ରୋବ୍‌ ଓ ଟର୍ବାନରେ ଦେଖିବାକୁ ମିଳିଛି।
ଡିସେମ୍ବର ୨୪ ନିର୍ବାଚନକୁ ଲିବ୍ୟାର ଅଧିକାଂଶ ଗୋଷ୍ଠୀ ଓ ବିଦେଶୀ ଶକ୍ତିଙ୍କ ସମର୍ଥନ ମିଳିଥିଲେ ହେଁ ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧ ଯୋଗୁ ଧାର୍ଯ୍ୟ ତାରିଖରେ ଭୋଟ ହେବା ନେଇ ସନ୍ଦେହ ଉପୁଜିଛି। ମତଦାନରେ କେହି ବିଭ୍ରାଟ ସୃଷ୍ଟି କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶୁକ୍ରବାର ପ୍ୟାରିସରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ସହମତି ପ୍ରକାଶ ପାଇଥିଲା। ତେବେ ରାଷ୍ଟ୍ରପତି ପଦ ପାଇଁ କେଉଁମାନେ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ସେନେଇ କୌଣସି ନିଷ୍କର୍ଷ ବାହାରିପାରି ନ ଥିଲା। ଗଦ୍ଦାଫିଙ୍କ ପତନ ପରଠାରୁ ଦେଶରେ ସୃଷ୍ଟି ହୋଇଥିବା ଅରାଜକତା, ଅସ୍ଥିରତା ଓ ହିଂସାକୁ ସୈଫ୍‌ ପ୍ରସଙ୍ଗ କରିପାରନ୍ତି। କିନ୍ତୁ ସେ ଏହି ଦୌଡ଼ରେ ଆଗରେ ରହି ନ ପାରନ୍ତି ବୋଲି ବିଶ୍ଳେଷକମାନେ ମତ ଦେଇଛନ୍ତି। ପ୍ରକାଶ ଯେ, ୧୯୪୨ରେ ଲିବ୍ୟାର ସୁର୍ଟରେ ଜନ୍ମିତ ଗଦ୍ଦାଫି ୪ ଦଶନ୍ଧି ଧରି ଦେଶକୁ ଶାସନ କରିଥିଲେ। ୨୦୧୧ ଅଗଷ୍ଟରେ ତାଙ୍କ ବିରୋଧରେ ଏକ ବଡ଼ଧରଣର ବିଦ୍ରୋହ ଆରମ୍ଭ ହୋଇଥିଲା। ଧରାପଡ଼ିବା ଭୟରେ ସେ କିଛିମାସ ଧରି ଆମତ୍ଗୋପନ କରିଥିଲେ। ନାଟୋ ସମର୍ଥତ୍ତ ବିଦ୍ରୋହୀ ଗୋଷ୍ଠୀ ୨୦୧୧ ଅକ୍ଟୋବର ୨୦ରେ ତାଙ୍କୁ ହତ୍ୟା କରିଥିଲା।

Share