Categories: ବାଣିଜ୍ୟ

ଭାରତ ଏନ୍‌ସିଏପିର ଶୁଭାରମ୍ଭ କଲେ ଗଡ୍‌କରୀ

ଭୁବନେଶ୍ୱର,୨୩।୮(ଅଭୟ ଦାଶ): ସାରା ଦେଶରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ସଡକ ଦୁର୍ଘଟଣା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହୋଇଯାଇଛି। ଉକ୍ତ ଘଟଣାର ହ୍ରାସ ସହିତ ସୁରକ୍ଷା ମାନ ବୃଦ୍ଧି ସହ ସଡ଼କ ନିରାପତ୍ତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ନୂତନ ଯୋଜନା ‘ଭାରତ ନୂତନ କାର୍‌ ମୂଲ୍ୟାୟନ କାର୍ଯ୍ୟକ୍ରମ(ଭାରତ ଏନ୍‌ସିଏପି)ର ଆନୁଷ୍ଠାନିକ ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍‌ ଗଡ୍‌କରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତ ଏନ୍‌ସିଏପିର ଶୁଭାରମ୍ଭ କରିଛନ୍ତି। ବିଶେଷକରି ଭାରତରେ ୩.୫ଟନ୍‌ ଓଜନ ବିଶିଷ୍ଟ ଯାନର ସୁରକ୍ଷା ମାନ ବୃଦ୍ଧି ସହିତ ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଉକ୍ତ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଏ ସମ୍ପର୍କରେ ଗଡ୍‌କରୀ କହିଥିଲେ, ସୁରକ୍ଷିତ କାର୍‌ କିଣିବା ପାଇଁ ଶ୍ରେଷ୍ଠ ବାହନ ଚୟନ କରିବାରେ ସକ୍ଷମ ହେବା ପାଇଁ ଗ୍ରାହକମାନଙ୍କୁ ସଶକ୍ତ କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ହେବ ବୋଲି ସେ ମତପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ୨୦୨୩ ଅକ୍ଟୋବର ୧ରୁ ଆରମ୍ଭ ହେବ ଏବଂ ଅଟୋମୋଟିଭ୍‌ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍‌)୧୯୭ ଉପରେ ଆଧାରିତ ହେବ। ବିଶେଷକରି ପ୍ରତିଯୋଗିତାମୂଳକ ନିରାପତ୍ତା ବୃଦ୍ଧିର ଇକୋସିଷ୍ଟମ ସୃଷ୍ଟି କରିବା ଉକ୍ତ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ବୋଲି ଆଶା କରାଯାଉଛି, ଯାହାକି ଉପଭୋକ୍ତାଙ୍କ ମଧ୍ୟରେ ବାହନ ସୁରକ୍ଷାକୁ ନେଇ ସଚେତନତା ବୃଦ୍ଧି କରିବ। ଉକ୍ତ କାର୍ଯ୍ୟକ୍ରମ ବିଶ୍ୱସ୍ତରୀୟ ନିରାପତ୍ତା ମାନ ଥିବା ଯାନ ନିର୍ମାଣ ସହ ଓଇଏମ୍‌ମାନଙ୍କ ପାଇଁ ସୁଯୋଗ ଆଣିଛି। ଉଲ୍ଲେଖଯୋଗ୍ୟ, ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୋଡ୍‌ ଟ୍ରାନ୍ସପୋର୍ଟ (ସିଆଇଆର୍‌ଟି) ଦ୍ୱାରା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରାଯିବ। ଏପରିକି ଭାରତ ଏନ୍‌ସିଏପି କାର୍ଯ୍ୟକ୍ରମ ଅଂଶୀଦାରଙ୍କ ପରାମର୍ଶକୁ ଆଧାରକରି ଏହା ବିକଶିତ ହୋଇଛି।

Share