ଭାକ୍ସିନ୍‌ ଅଭାବ ପୂରଣ ପାଇଁ ଗଡ଼କରୀଙ୍କ ନୂଆ ପରାମର୍ଶ: ୧୫-୨୦ ଦିନରେ ହେବ ସମସ୍ୟାର ସମାଧାନ…

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ରଚିଛି। ଏପରିସ୍ଥଳେ ଭାକ୍ସିନ୍‌ ଏବଂ କରୋନା ଔଷଧର ଅଭାବ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଦେଶରେ ସୃଷ୍ଟି ହୋଇଥିବା ଭାକ୍ସିନ୍‌ ଏବଂ କରୋନା ଔଷଧର ଅଭାବ ୧୫-୨୦ ଦିନ ମଧ୍ୟରେ ପୂରଣ ହୋଇପାରିବ। ଯଦି ଭାକ୍ସିନ୍‌ ପ୍ରସ୍ତୁତକାରୀ କମ୍ପାନୀ ଜଣଙ୍କୁ ଲାଇସେନ୍ସ୍‌ ନ ଦେଇ ୧୦ କମ୍ପାନୀକୁ ସ୍ବୀକୃତି ଦିଅନ୍ତେ ତେବେ ଏହି ସମସ୍ୟାର ସମାଧାନ ଶୀଘ୍ର ହୋଇ ପାରନ୍ତା। ଲାଇସେନ୍ସ୍‌ ଦିଆଯାଇଥିବା କମ୍ପାନୀଠାରୁ ଭାକ୍ସିନ୍‌ ପ୍ରସ୍ତୁତକାରୀ କମ୍ପାନୀ ରୟାଲିଟି ନେଇ ଏଭଳି କରିପାରିବେ। ଦେଶର ପ୍ରତି ରାଜ୍ୟରେ୨-୩ ଲ୍ୟାବ୍‌ ରହିଛି। ସେଠାରେ ଭାକ୍ସିନ୍‌ ପ୍ରସ୍ତୁତକାରୀ କମ୍ପାନୀର ଫର୍ମୂଲା ଆଧାରରେ ଆବଶ୍ୟକ ଔଷଧ ଏବଂ ଟିକାର ଡୋଜ୍‌ ପ୍ରସ୍ତୁତ ହୋଇ ପାରିବ ବୋଲି ସେ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହିତ ଭିଡ଼ିଓ କନଫରେନ୍ସିଂରେ ଆଲୋଚନା ସମୟରେ ଏଭଳି କହିଛନ୍ତି। ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଧ୍ୟ ଏହି ପରାମର୍ଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଦେଇଥିଲେ।

Share