Categories: ଖେଳ

ଗଫ୍‌-ସାବାଲେଙ୍କା ଫାଇନାଲ

ନ୍ୟୁୟର୍କ, ୯।୯ : ଚଳିତ ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ଆମେରିକାର କୋକୋ ଗଫ୍‌ ଏବଂ ବେଲାରୁଷର ଆରିନା ସାବାଲେଙ୍କା ପ୍ରବେଶ କରିଛନ୍ତି। ତୀବ୍ର ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲରେ ଦ୍ୱିତୀୟ ସିଡ୍‌ ସାବାଲେଙ୍କା ୨୦୧୭ ୟୁଏସ୍‌ ଓପନ ରନରଅପ୍‌ ଆମେରିକାର ମାଡିସନ କିଜ୍‌ଙ୍କୁ ୦-୬, ୭-୬ (୭/୧), ୭-୬ (୧୦/୫) ସେଟ୍‌ରେ ପରାସ୍ତ କରିଥିଲେ। କିଜ୍‌ ପ୍ରଥମ ସେଟକୁ ସହଜରେ ଜିତିଥିଲେ ହେଁ ପରେ ସାବାଲେଙ୍କା କଡ଼ା ଟକ୍କର ଦେଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ଦ୍ୱିତୀୟ ସେମିଫାଇନାଲରେ ୧୯ ବର୍ଷୀୟା ଗଫ୍‌ ୬-୪, ୭-୫ ସେଟ୍‌ରେ ଚେକ୍‌ ରିପବ୍ଲିକର କାରୋଲିନା ମୁଚୋଭାଙ୍କୁ ହରାଇଥିଲେ। ପରିବେଶ କର୍ମୀଙ୍କ ପ୍ରତିବାଦ ଯୋଗୁ ଦ୍ୱିତୀୟ ସେମିଫାଇନାଲ ୫୦ ମିନିଟ ବାଧାପ୍ରାପ୍ତ ହୋଇଥିଲା। ଫ୍ଲୁଶିଂ ମାଡୋସରେ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରି ଗଫ୍‌ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ”ମୁଁ ଏବେ ଟାଇଟଲ ଜିତିବା ପାଇଁ ପରିପକ୍ୱ ହୋଇଯାଇଥିବା ଅନୁଭବ କରୁଛି। ଶନିବାର ଫାଇନାଲରେ କ’ଣ ହେବ ଏହା ଜଣାନାହିଁ। ମାତ୍ର ଗତ କିଛି ସପ୍ତାହଧରି ଯେପରି ଖେଳି ଆସୁଛି ସେଥିରେ ମୁଁ ଗର୍ବ ଅନୁଭବ କରୁଛି“ ବୋଲି ଗଫ୍‌ ପ୍ରକାଶ କରିଛନ୍ତି। ଏହି ଆମେରିକାନ ଟିନ୍‌ଏଜର ଗତବର୍ଷ ଫ୍ରେଞ୍ଚ୍‌ ଓପନ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଟାଇଟଲ ମୁକାବିଲାରେ ହାରି ଯାଇଥିଲେ।
ନମ୍ବର ଓ୍ବାନ ହେବେ ସାବାଲେଙ୍କା
ଗତ ଜାନୁୟାରୀରେ ଅଷ୍ଟ୍ରେଲିଆନ ଓପନ ଜିତିଥିବା ସାବାଲେଙ୍କାଙ୍କର ଚଳିତ ସିଜନରେ ଗ୍ରାଣ୍ଡସ୍ଲାମ ବିଜୟ ରେକର୍ଡ ୨୩-୨ ରହିଛି। ଆସନ୍ତା ସପ୍ତାହରେ ସେ ପ୍ରଥମଥର ପାଇଁ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ନମ୍ବରଓ୍ବାନ ହେବା ନିଶ୍ଚିତ ହୋଇଯାଇଛି। କିଜ୍‌ଙ୍କ ବିପକ୍ଷ ସେମିଫାଇନାଲରେ ସେ ପରାଜୟର ନିକଟତର ହୋଇଥିଲେ ହେଁ କ୍ରମାଗତ ୧୨ ପଏଣ୍ଟ ହାସଲ ସହ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ।
ପାଦରେ ଅଠା ଲଗାଇ ପ୍ରତିବାଦ
ଗଫ ପ୍ରଥମ ସେଟ୍‌ ଜିତି ଦ୍ୱିତୀୟ ସେଟ୍‌ରେ ୧-୦ରେ ଆଗୁଆ ରହିଥିବାବେଳେ ୪ ପରିବେଶ କର୍ମୀ ଆରେନାର ଉପରିଭାଗରେ ଥାଇ ଖେଳରେ ବାଧା ପହଞ୍ଚାଇଥିଲେ। ସମସ୍ତ ୪ ଜଣଯାକ ଗିରଫ ହୋଇଥିଲେ। ୩ ଜଣଙ୍କୁ ସଙ୍ଗେସଙ୍ଗେ ବାହାରକୁ ନିଆଯାଇଥିଲା। ମାତ୍ର ସେମାନଙ୍କ ମଧ୍ୟରୁ ଜଣେ ଖାଲି ପାଦରେ ଅଠା ଲଗାଇ ଷ୍ଟାଣ୍ଡର କଂକ୍ରିଟ ଚଟାଣରେ ରଖି ଦେଇଥିଲେ। ଏହାକୁ କାଢ଼ିବା ପାଇଁ ସମୟ ଲାଗିଥିଲା। ଖେଳ ପୁଣି ସ୍ବାଭାବିକ ହେବା ପର୍ଯ୍ୟନ୍ତ ଉଭୟ ଖେଳାଳି ଲକର ରୁମ୍‌ରେ ସମୟ ବିତାଇଥିଲେ।

Share