Categories: ଖେଳ

ଗଗନ ନାରଙ୍ଗ ଚିଫ୍‌ ଡି’ ମିଶନ

ନୂଆଦିଲ୍ଲୀ, ୯ା୭ : ମେରୀ କମ୍‌ଙ୍କ ସ୍ଥାନରେ ଲଣ୍ଡନ ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ବିଜେତା ଶୁଟର ଗଗନ ନାରଙ୍ଗଙ୍କୁ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳର ଚିଫ୍‌ ଡି’ ମିଶନ ଭାବେ ମନୋନୀତ କରାଯାଇଛି। ଜୁଲାଇ ୨୬ରେ ଉଦ୍‌ଘାଟନୀ ଉତ୍ସବରେ ଦେଶର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ମହିଳା ପତାକା ବାହକ ଦାୟିତ୍ୱ ତୁଲାଇବେ। ମେରୀ କମ୍‌ଙ୍କ ଇସ୍ତଫା ପରେ ଡେପୁଟି ଚିଫ ଡି’ ମିଶନ ଥିବା ୪୧ ବର୍ଷୀୟ ନାରଙ୍ଗଙ୍କ ପଦୋନ୍ନତି ସ୍ବାଭାବିକ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା କହିଛନ୍ତି। ଭାରତୀୟ ଦଳର ନେତୃତ୍ୱ ଜଣେ ଅଲିମ୍ପିକ ପଦକ ବିଜେତା ନିଅନ୍ତୁ ବୋଲି ସେ ଚାହୁଁଥିଲେ। ମେରୀ କମ୍‌ଙ୍କ ସ୍ଥାନରେ ମୋ ଯୁବ ସହଯୋଗୀ ହିଁ ପ୍ରକୃତ ବିକଳ୍ପ ବୋଲି ସେ କହିଛନ୍ତି। ନାରଙ୍ଗ ଭାରତୀୟ ଦଳର ଚିଫ୍‌ ଡି’ ମିଶନ ହୋଇ ପାରନ୍ତି ବୋଲି ପୂର୍ବରୁ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ଉଦ୍‌ଘାଟନୀ ଉତ୍ସବରେ ଦେଶର ଅଗ୍ରଣୀ ଟେବୁଲ ଟେନିସ ଖେଳାଳି ଶରଥ କମଲଙ୍କ ସହ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ଭାରତର ଏକମାତ୍ର ମହିଳା ପି.ଭି. ସିନ୍ଧୁଙ୍କୁ ମହିଳା ପତାକା ବାହକ ହେବା ଲାଗି ମନୋନୀତ କରାଯାଇଥିବା ଉଷା ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଆଇଓଏ ଗତ ମାର୍ଚ୍ଚ ମାସରେ ପ୍ରଥମେ ୬ଥର ବିଶ୍ୱ ଚାମ୍ପିୟନ ମେରୀ କମ୍‌ଙ୍କୁ ଚିଫ୍‌ ଡି’ ମିଶନ ଭାବେ ମନୋନୀତ କରିଥବଲା। ମାତ୍ର ଏପ୍ରିଲରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ। ଚିଫ୍‌ ଡି’ ମିଶନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ପଦବୀ। ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ଆଥଲେଟମାନଙ୍କ ଅଭାବ ଅସୁବିଧା ବୁଝାଶୁଝା କରିବା ଏବଂ ଏହାର ସମାଧାନ ଆବଶ୍ୟକ ଆୟୋଜକ କମିଟି ସହ ଯୋଗାଯୋଗ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ହୋଇଥାଏ। ଆଇଓଏ ମାର୍ଚ୍ଚ ମାସରେ ଶରଥ କମଲଙ୍କ ନାମ ଘୋଷଣା କରିଥିଲା। ମାତ୍ର ମହିଳା ପତାକା ବାହକ କିଏ ହେବ ସେ ନେଇ ନିଷ୍ପତ୍ତି ନେଇ ପାରି ନଥିଲା। ୨୦୨୦ରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଏହାର ପ୍ରୋଟୋକଲରେ ପରିବର୍ତ୍ତନ କରିଥିଲା। ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ପ୍ରତ୍ୟେକ ଦେଶକୁ ଜଣେ ମହିଳା ଓ ଜଣେ ପୁରୁଷ ପତାକା ବାହକଙ୍କୁ ନେବା ଲାଗି ଅନୁମତି ମିଳିଥିଲା। ଟୋକିଓ ଅଲିମ୍ପିକ୍ସରେ ମେରୀ କମ୍‌ ଓ ପୂର୍ବତନ ହକି ଅଧିନାୟକ ମନପ୍ରୀତ ସିଂ ଭାରତର ପତାକା ବାହକ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ଉଷା କହିଛନ୍ତି ଆମ ଆଥଲେଟ୍‌ମାନେ ଭଲରୂପେ ପ୍ରସ୍ତୁତ ହୋଇଥିେବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି। ଜୁଲାଇ ୨୬ରୁ ଆରମ୍ଭ ହେଉଥିବା ପ୍ୟାରିସ ଗେମ୍ସ ପାଇଁ ଦେଶର ୧୦୦ରୁ ଊର୍ଦ୍ଧ୍ୱ ଆଥଲେଟ ଯୋଗ୍ୟତା ଅର୍ଜନ କରିଛନ୍ତି।

Share