ସପ୍ତାହକୁ ୪ ଦିନ ଶଟ୍‌ଡାଉନ୍‌, ୩ ଦିନ ଲକ୍‌ଡାଉନ ହେବ ଗଜପତି ଜିଲା

ଗଜପତି,୨୮।୭(ଡି.ଏନ୍‌.ଏ.): ଗଜପତି ଜିଲାରେ ସପ୍ତାହକୁ ୪ ଦିନ ଶଟ୍‌ଡାଉନ୍‌ ଓ ୩ ଦିନ ଲକ୍‌ଡାଉନ୍‌ ନିୟମ ଲାଗୁ ହେବ। ମଙ୍ଗଳବାର ଜିଲାରେ ସପ୍ତାହକୁ ୪ ଦିନ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏ ନେଇ ଜିଲାପାଳ ଅନୁପମ ଶାହା ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ସପ୍ତାହର ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ଶଟଡାଉନ ନିୟମ ଲାଗୁ ହେଉଥିବା ବେଳେ ପୂର୍ବ ଭଳି ସୋମବାରଠୁ ବୁଧବାର ୩ ଦିନ ଲକ୍‌ଡାଉନ୍‌ କଟକଣା ଜାରି ରହିବ। ସମସ୍ତ ବ୍ଲକ ହେଡକ୍ବାର୍ଟର ମଧ୍ୟ ଶଟଡାଉନ ରହିବ ବୋଲି ଜଣାପଡ଼ିଛି।
ଅତି ଆବଶ୍ୟକ ନ ଥିଲେ ପାରଳାଖେମୁଣ୍ଡି ସହର ଏବଂ ବ୍ଲକ ହେଡକ୍ବାର୍ଟରକୁ ପ୍ରବେଶ ଏବଂ ପ୍ରସ୍ଥାନକୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲାପାଳ କହିଛନ୍ତି। ପାରଳାଖେମୁଣ୍ଡି ସହର ବ୍ୟତୀତ କାଶୀନଗର ଏନଏସି, ରାନିପେଣ୍ଟୋ, କେରାଣ୍ଡି, ଜାମି ଏବଂ କତଲକଇଠା ଆଦି ପଞ୍ଚାୟତକୁ ମଧ୍ୟ ୪ ଦିନ ଶଟଡାଉନ କରାଯାଇଛି । ଆଗାମୀ ୩୦ ତାରିଖରୁ ଅଗଷ୍ଟ ୨ ତାରିଖ ଯାଏ ଏହି କଟକଣା ବଳବତ୍ତର ରହିବ।