Categories: ଗଜପତି

ଗଜପତି ରାଜାଙ୍କ ଜମି ଜବରଦଖଲ ଅଭିଯୋଗ

ପାରଳାଖେମୁଣ୍ଡି,୬।୩: ଗଜପତି ଜିଲା ସଦର ମହକୁମାରେ ଥିବା ଗଜପତି ରାଜାଙ୍କ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ମହାରାଜାଙ୍କର ଗୁମ୍ମା ତହସିଲ ଅନ୍ତର୍ଗତ ବେତଗୁଡାରେ ଥିବା ଜମି ଓ କେତେକ ସରକାରୀ ଜମି ଜଣେ କମାଣ୍ଡାଣ୍ଟ ମାଡ଼ି ବସିଥିବା ଅଭିଯୋଗ ହୋଇଛି। ପାରଳାଖେମୁଣ୍ଡି ତୃତୀୟ ବାଟାଲିୟନର ଜଣେ ଡେପୁଟି କମାଣ୍ଡାଣ୍ଟଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି। ଗୁମ୍ମା ଏବଂ ପାରଳାଖେମୁଣ୍ଡି ତହସିଲଦାରଙ୍କ ମିଳିତ ସହଯୋଗରେ ରାଜଜେମା କଲ୍ୟାଣୀ ଦେବୀ ନିଜେ ଉପସ୍ଥିତ ରହି ରାଜପରିବାର କର୍ମଚାରୀଙ୍କ ସହାୟତାରେ ଶୁକ୍ରବାର ଜବରଦଖଲ ଜମିରୁ ଉଚ୍ଛେଦ କରିଛନ୍ତି। ଡେପୁଟି କମାଣ୍ଡାଣ୍ଟ ସେହି ଅଞ୍ଚଳ ବେସରକାରୀ ଜମି ଜାଣି ମଧ୍ୟ ସେଠାରେ ଫୁଲ ଓ ଫଳ ବଗିଚା ସହ ରେସ୍‌ ଅଫିସ ଚଳାଇ ଆସୁଥିଲେ। ରାଜଜେମା ଓ ତାଙ୍କ ସହକର୍ମୀ ବାରମ୍ବାର ଅନୁରୋଧ କରିବା ପରେ ଜମି ହସ୍ତାନ୍ତର ନ କରିବାରୁ ରାଜଜେମା କଲ୍ୟାଣୀ ଦେବୀ ଉକ୍ତ ଜମିକୁ ନିଜ ଅକ୍ତିଆରକୁ ଆଣିଛନ୍ତି।