ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଆଇଆଇସିଙ୍କୁ ଗଜପତି ବଦଳି

ପାରଳାଖେମୁଣ୍ଡି/କେନ୍ଦୁଝର, ୬ା୭ (ଗିରିଧାରୀ ପରିଛା/ ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଜେଡି ସରକାର ସମୟରେ କେନ୍ଦୁଝର ଜିଲା ସଦର ଥାନାରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଆଇଆଇସି ତ୍ରିନାଥ ସେଠୀଙ୍କୁ ଶୁକ୍ରବାର ଗଜପତି ଜିଲାକୁ ବଦଳି କରାଯାଇଛି। କଟକ ପୋଲିସ ମୁଖ୍ୟାଳୟରୁ ଏହି ବଦଳି ଆଦେଶ ହୋଇଛି। ସେହିପରି ଭଦ୍ରକ ଥାନାର ଆଇଆଇସି ଅମିତ କୁମାର ଭୂୟଁା କେନ୍ଦୁଝର ଥାନାକୁ ବଦଳି ହୋଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀ ଗୋପୀନାଥପୁର ଗ୍ରାମରେ ପାଣି ସମସ୍ୟାକୁ ନେଇ ଏନ୍‌ଏଚ୍‌ ୨୦ରେ ରାସ୍ତା ଅବରୋଧ କରିଥିବା ଲୋକଙ୍କ ଆନ୍ଦୋଳନରେ ବିଧାୟକ ଥିବା ମୋହନ ମାଝୀ ସାମିଲ ହୋଇଥିଲେ। ସେତେବେଳେ ମାଝୀଙ୍କୁ ଆଇଆଇସି ଥାନାରେ ବସାଇ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ଅଧିକାରୀ ନିର୍ବାଚନ ଆଚରଣ ବିଧି ରହିଛି, ଥାନାରୁ ବାହାରି ଯିବା ପାଇଁ ମାଝୀଙ୍କୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ଯାହାର ଭିଡିଓ ଭାଇରାଲ ହୋଇଥିଲା। ମାଝୀ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ପୋଲିସ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ଉଚିତ ବୋଲି କହିଥିଲେ। ତେବେ ମୁଖ୍ୟମନ୍ତ୍ରୀ ମାଝୀ ଏକ ଟିଭି ଚ୍ୟାନେଲର ସାକ୍ଷାତକାରରେ କହିଥିଲେ ଯେ, ସେ ଆଇଆଇସି ତ୍ରିନାଥ ସେଠୀଙ୍କୁ କ୍ଷମା କରିଦେଇଛନ୍ତି।