ଗଜପତିଙ୍କ ୬୮ ଅଙ୍କ, ୧୪୩୨ ସାଲ ଆରମ୍ଭ

ପୁରୀ,୧୬ା୯(ଅଜିତ୍‌ କୁମାର ମହାନ୍ତି): ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ରବିବାର ଅବସରରେ ଶ୍ରୀନଅରରେ ଗଜପତି ମହାରାଜାଙ୍କ ସୁନିଆ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ୬୭ଅଙ୍କ ଶେଷ ହୋଇଥିବାବେଳେ ରବିବାର ସୁନିଆଠାରୁ ୬୮ ଅଙ୍କ ଏବଂ ୧୪୩୨ ସାଲ ଆରମ୍ଭ ହୋଇଛି। ଉତ୍କଳୀୟ ସାଂସ୍କୃତିକ ସାମାଜିକ ଜୀବନରେ ଗଜପତିଙ୍କ ନାମରେ ଉତ୍କଳ ନବବର୍ଷ ଆରମ୍ଭ ହୋଇଥାଏ। ଓଡ଼ିଆ ପାଇଁ ଜାତକର ବର୍ଷ, ମାସ, ତାରିଖ, ତିଥି ଓ ନକ୍ଷତ୍ର ଗଜପତିଙ୍କ ନାମରେ ଉଲ୍ଲେଖ ହୋଇଥାଏ। ସୁନିଆଠାରୁ ଗଜପତି ମହାରାଜାଙ୍କ ଗାଦିନାସୀନ ବର୍ଷର ଗଣନା କରାଯାଇଥାଏ। ସୁନିଆ ଅବସରରେ ରବିବାର ଶ୍ରୀନଅରରେ ପାରମ୍ପରିକ ରୀତିରେ ରାଜ ପରମ୍ପରା ଅନୁଷ୍ଠିତ ହୋଇଥିଲା। ଶ୍ରୀନଅରର ବିଭିନ୍ନ ସ୍ଥାନରେ ଝୋଟି ପକାଯାଇଥିଲା। ସକାଳୁ ରାଜଗୁରୁମାନେ ଶୁଭଖୁଣ୍ଟି ଅନୁକୂଳ କରି ଯଥାବିଧି ଦେବାର୍ଚ୍ଚନା ନୀତି ସମ୍ପନ୍ନ କରିଥିଲେ। ସନ୍ଧ୍ୟାରେ ପଞ୍ଚଦେବତା ଓ ରାମାଭିଷେକ ପୂଜା ହୋଇଥିଲା। ମଙ୍ଗଳାର୍ପଣ ନୀତି ହୋଇ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯାଇଥିଲା। ପରେ ଏକ ସୁନା ମୋହରରେ ୬୮ ଅଙ୍କ କଟାଯାଇ ଅଙ୍କ ଓ ସାଲ ଘୋଷଣା କରାଯାଇଥିଲା। ୧୬ଶାସନ ବ୍ରାହ୍ମଣମାନେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଗୋଟିଏ ଲେଖାଏ ନଡ଼ିଆ ଭେଟିଦେଇ ଆଶୀର୍ବାଦ ପ୍ରଦାନ କରିଥିଲେ। ପରେ ଗଜପତିଙ୍କୁ ପ୍ରଜା ଏବଂ କର୍ମଚାରୀମାନେ ସୁନିଆ ଭେଟି ଦେଇଥିଲେ। ଏହି ପରମ୍ପରା ସମ୍ପର୍କରେ ଗବେଷକଙ୍କ ସୂଚନା ଅନୁଯାୟୀ, ସୁନିଆରେ ଗଜପତି ମହାରାଜାଙ୍କ ନବବର୍ଷର ଆରମ୍ଭ ହୋଇଥାଏ। ଚଳିତ ବର୍ଷ ଗଜପତି ମହାରାଜାଙ୍କ ୬୮ ଅଙ୍କ ପ୍ରଚଳିତ ହେବା ସହ ୧୪୩୨ ସାଲ ପ୍ରବେଶ କଲା। ଅଙ୍କ କଟା ପରମ୍ପରା ଅଦ୍ୟାବଧି ପ୍ରଚଳିତ ରହିଛି ବୋଲି ରାଜଗୁରୁ ଦେବୀପ୍ରସାଦ ରାଜଗୁରୁ କହିଛନ୍ତି।

Share