ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୦।୮: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିବା ସହ ସ୍ଥିତି ଅଣାୟତ ହେବାରେ ଲାଗିଛି। ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮ଲକ୍ଷ ପାର କରିଛି। ଏହା କବଳରୁ କେହି ଭିଭିଆଇପି ମଧ୍ୟ ବର୍ତ୍ତି ପାରିନାହାନ୍ତି। ଇତିମଧ୍ୟରେ ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଗୁରୁବାର କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ କରୋନାରେ ପୀଡ଼ିତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଗଜେନ୍ଦ୍ର ସିଂହଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯିବାରୁ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା। ଗୁରୁବାର ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଛି। ଏହାପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ବିଗତ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଆଇସୋଲେଟ କରିବା ସହ ନିଜର ଯାଞ୍ଚ କରାଇ ନିଅନ୍ତୁ। ସମସ୍ତେ ସୁସ୍ଥ ରୁହିବା ସହ ନିଜର ଧ୍ୟାନ ରଖନ୍ତୁ ବୋଲି ଗଜେନ୍ଦ୍ର ସିଂହ ପରାମର୍ଶ ଦେଇଛନ୍ତି। ଗଜେନ୍ଦ୍ର ସିଂହଙ୍କ ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଇକ ଓ ଅର୍ଜୁନ ରାମ ମେଘଓ୍ବାଲ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି।

Share