ଜବରଦଖଲରେ ଗଳିପୋଲ

ରସୁଲପୁର,୨୫।୯(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଗଣେଶ ବଜାର ନିକଟସ୍ଥ ୧୬ନମ୍ବର ଜାତୀୟ ରାଜପଥ ଗଳିପୋଲକୁ ଜବରଦଖଲ କରାଯାଉଛି। ବ୍ୟବସାୟୀମାନେ ପରିବା ପରିବହନ କରିବାରେ ବ୍ୟବହାର କରୁଥିବା ଟ୍ରକ୍‌ ଓ ଛୋଟବଡ଼ ଗାଡିଗୁଡ଼ିକୁ ପୋଲ ତଳେ ପାର୍କିଂ କରି ଜାଗା ମାଡ଼ି ବସୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଗାଡ଼ି ଚଳାଚଳ ମଧ୍ୟ ଠପ୍‌ ହୋଇଯାଉଛି। ତେଣୁ ପୋଲ ତଳକୁ ତୁରନ୍ତ ଜବରଦଖଲ ମୁକ୍ତ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ସୂଚନା ଅନୁସାରେ, ବାରବାଟୀ ଗଣେଶ ବଜାରଠାରେ ଦୈନିକ ପରିବାହାଟ ବସୁଛି। ତେବେ ଗଳିପୋଲ ନ ଥିବାରୁ ହାଟ ନିକଟରେ ଟ୍ରାଫିକ୍‌ ଜାମ ହୋଇ ରାଜପଥରେ ଗାଡ଼ି ଯାତାୟାତରେ ବାଧା ଉପୁଜୁଥିଲା। ଆମ୍ବୁଲାନ୍ସ, ଯାତ୍ରୀବାହୀ ବସ ଆଦି ଘଣ୍ଟାଘଣ୍ଟା ଧରି ହାଟ ସ୍ଥାନରେ ଫଶି ରହୁଥିଲା। ତେଣୁ ଉକ୍ତ ସ୍ଥାନରେ ଗଳିପୋଲ ନିର୍ମାଣ ପାଇଁ ଅଞ୍ଚଳର ଲୋକେ ଦାବି କରିଥିଲେ। ଉକ୍ତ ଦାବି ମୁତାବକ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାଜପଥ ସମ୍ପ୍ରସାରଣ ଓ ମରାମତି ସମୟରେ ଗଣେଶ ବଜାର ନିକଟରେ ଗଳିପୋଲ ନିର୍ମାଣ କରାଯାଇଥିଲା। ପୋଲ ନିର୍ମାଣ ହେଲେ ରାଜପଥ ଉପରେ ଗାଡ଼ିମୋଟର ଯାତାୟାତରେ ବାଧା ଉପୁଜିବ ନାହିଁ। ପୋଲ ତଳଦେଇ ସ୍ଥାନୀୟ ଜନସାଧାରଣ, ଚାଷୀ, ବ୍ୟବସାୟୀ ସୁବିଧାରେ ଯାତାୟାତ କରିପାରିବେ। ହାଟ ସ୍ଥଳରେ ଆଉ ରାଜପଥ ଅବରୋଧ ହେବ ନାହିଁ ବୋଲି ଆଶା କରାଯାଇଥିଲା। ମାତ୍ର ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସୁବିଧା ପାଇଁ କରାଯାଇଥିବା ଯୋଜନା ଏବେ ବିଫଳ ହୋଇଛି। ବ୍ୟବସାୟୀମାନେ ପରିବା ବୋଝେଇ ଟ୍ରକ ପୋଲ ତଳେ ପାର୍କିଂ କରି ଦେଉଥିବାରୁ ପୋଲ ନିର୍ମାଣର ମୂଳ ଲକ୍ଷ୍ୟପୂରଣ ହୋଇପାରୁ ନାହିଁ ବୋଲି ଅଭିଯୋଗ ହୋଇଛି।

Share