Categories: ଖେଳ

ଗମ୍ଭୀର ବେଶୀ ଦିନ ତିଷ୍ଠି ପାରିବେ ନାହିଁ: କାହିଁକି ଏମିତି କହିଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୪ା୮:ଭାରତୀୟ ଦଳର ମୁଖ୍ୟ କୋଚ ଭାବରେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ଆରମ୍ଭ ହୋଇଛି। ଭାରତୀୟ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛି। ଏଠାରେ ସେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଜିତିଛନ୍ତି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦିନିକିଆ ସିରିଜ ଖେଳାଯାଉଛି, ଯାହାର ଦ୍ୱିତୀୟ ମ୍ୟାଚ ରବିବାର ଖେଳାଯିବ। ରାହୁଲ ଦ୍ରାବିଡଙ୍କ ପରେ ଗମ୍ଭୀର ଭାରତୀୟ ଦଳର କୋଚ ହୋଇଛନ୍ତି। ଟି-୨୦ ବିଶ୍ୱକପରେ ଟାଇଟଲ ଜିତିବା ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।
ଦ୍ରାବିଡ ଟି-୨୦ ବିଶ୍ୱକପ ପରେ ମୁଖ୍ୟ କୋଚ ଦାୟିତ୍ୱ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ପରେ ଗମ୍ଭୀରଙ୍କୁ ଏହି ପଦବୀ ପାଇଁ ଏକ ଦୃଢ ପ୍ରତିଯୋଗୀ ଭାବରେ ବିବେଚନା କରାଯାଇଥିଲା। କୋଲକାତା ନାଇଟ ରାଇଡର୍ସ (କେକେଆର୍‌)କୁ ଚଳିତ ବର୍ଷ ଆଇପିଏଲରେ ଟାଇଟଲ ଜିତିବାରେ ଗମ୍ଭୀର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୨୦୦୭ ଟି-୨୦ ବିଶ୍ୱକପ ବିଜେତା ଦଳର ସଦସ୍ୟ ଥିବା ଯୋଗିନ୍ଦର ଶର୍ମା ବିଶ୍ୱାସ କରନ୍ତି ଯେ, ଗମ୍ଭୀର ଦୀର୍ଘ ଦିନ ପର୍ଯ୍ୟନ୍ତ କୋଚ ରହିପାରିବେ ନାହିଁ। ଏହା ଜଣା ଯେ ଯୋଗିନ୍ଦର ଏବଂ ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପ ଦଳର ଅଂଶ ଥିଲେ ଏବଂ ଉଭୟ ଏକାଠି ଖେଳିଛନ୍ତି।
ଯୋଗିନ୍ଦର ୟୁଟ୍ୟୁବରେ କହିଛନ୍ତି, ଗମ୍ଭୀର ଦଳର ଦାୟିତ୍ୱ ନେଇଛନ୍ତି ସତ, , କିନ୍ତୁ ମୋର ବିଶ୍ୱାସ ଯେ ସେ ଅଧିକ ଦିନ ରହିପାରିବେ ନାହିଁ। କାରଣ ଗମ୍ଭୀରଙ୍କର ନିଜର କିଛି ନିଷ୍ପତ୍ତି ଅଛି। କିଛି ଖେଳାଳିଙ୍କ ସହିତ ମତଭେଦ ହୋଇପାରେ, ମୁଁ ବିରାଟ କୋହଲିଙ୍କ ବିଷୟରେ କହୁନାହିଁ। ଗମ୍ଭୀରଙ୍କ ନିଷ୍ପତ୍ତି ପ୍ରାୟତଃ ଏପରି ହୋଇଥାଏ,ଯାହା ଅନ୍ୟମାନେ ପସନ୍ଦ କରନ୍ତି ନାହିଁ। ସେ ତାଙ୍କର କାର୍ଯ୍ୟ କରନ୍ତି, ବହୁତ ସଚ୍ଚୋଟତାର ସହିତ କରନ୍ତି।

Share