Categories: ଖେଳ

ବ୍ୟାଟ୍ସମ୍ୟାନ ଭାବେ ଗମ୍ଭୀର ପସନ୍ଦ କିନ୍ତୁ ମଣିଷ ଭାବେ ନୁହେଁ: ଆଫ୍ରିଦୀ

ନୂଆଦିଲ୍ଲୀ, ୧୯।୭: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଓ ପାକିସ୍ତାନ ଅଲ୍‌ରାଉଣ୍ଡ ଶାହିଦ ଆଫ୍ରିଦୀଙ୍କ ମଧ୍ୟରେ ପଡ଼ିଆରୁ ଆରମ୍ଭ ହୋଇଥିବା ଶତ୍ରୁତା ଏବେ ମଧ୍ୟ ଦେଖିବାକୁ ମିଳୁଛି। କ୍ରିକେଟ୍‌ରୁ ଅବସର ନେଇସାରିଥିଲେ ମଧ୍ୟ ଉଭୟ କ୍ରିକେଟର୍‌ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ବିବୃତି ଦେବାରୁ ନିବୃତ ହୋଇନାହାନ୍ତି। ବର୍ତ୍ତମାନ ଏହି ଦୁଇ ଖେଳାଳିଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆଫ୍ରିଦୀ ନିକଟରେ ଏକ ସାକ୍ଷାତ୍‌କାର ଅବସରରେ ଗମ୍ଭୀରଙ୍କୁ ନେଇ ଏକ ବିବାଦୀୟ ବୟାନ ରଖିଛନ୍ତି। ଆଫ୍ରିଦୀ କହିଛନ୍ତି, ବ୍ୟାଟ୍ସମ୍ୟାନ ଭାବେ ଗମ୍ଭୀର ତାଙ୍କୁ ପସନ୍ଦ ଲାଗନ୍ତି କିନ୍ତୁ ଜଣେ ମଣିଷ ଭାବେ ନୁହେଁ। ପାକିସ୍ତାନ କ୍ରୀଡ଼ା ଖବରଦାତା ଜନାବ ଅବାସଙ୍କୁ ଦେଇଥିବା ଏକ ସାକ୍ଷାତ୍‌କା ଅବସରରେ ଆଫ୍ରିଦୀ କହିଛନ୍ତି, ‘ଜଣେ କ୍ରିକେଟର୍‌ ତଥା ଜଣେ ବ୍ୟାଟ୍ସମ୍ୟାନ ଭାବେ ମୁଁ ସବୁବେଳେ ତାଙ୍କୁ ପସନ୍ଦ କରିଥାଏ। କିନ୍ତୁ ଜଣେ ମଣିଷ ଭାବେ ସେ ଅନେକବାର ଏମିତି କାମ କରିଥାନ୍ତି ଯାହାକୁ ନେଇ ଆପାଣ ଭାବିବେ ତାଙ୍କ ସହିତ କିଛି ସମସ୍ୟା ରହିଛି।’ ଏଠାରେ ଉଲ୍ଲେଖଯୋଗ୍ୟ, ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଫିଜିଓ ପ୍ୟାଡି ଅପ୍ଟନ ଗମ୍ଭୀରଙ୍କୁ ନେଇ ଏକ ଟିପ୍ପଣୀ ତାଙ୍କ ଆତ୍ମଜୀବନୀରେ ଲେଖିଥିଲେ। ଯେଉଁଥିରେ ପ୍ୟାଡି ଲେଖିଥିଲେ, ‘ମୁଁ ଯେଉଁ ଲୋକଙ୍କ ସହ କାମ କରିଛି ସେ (ଗମ୍ଭୀର) ସବୁଠାରୁ ଦୁର୍ବଳ ଓ ମାନସିକ ଅସୁରକ୍ଷିତ ଥିଲେ।’ ପ୍ୟାଡିଙ୍କ ଏହି ଟିପ୍ପଣୀକୁ ନେଇ ଆଫ୍ରିଦୀ ଏଭଳି ମନ୍ତବ୍ୟ ଦେଇଥିବା ଆଲୋଚନା ହେଉଛି।

Share