Categories: ଖେଳ

ଧୋନୀଙ୍କ ପ୍ରଶଂସାରେ ଏମିତି କହିଦେଲେ ଗମ୍ଭୀର

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ୍‌ ପାଇଁ ଯାହା କରିଛନ୍ତି, ଏପର୍ଯ୍ୟନ୍ତ କୌଣସି ଅଧିନାୟକ ତାହା କରିପାରି ନାହାଁନ୍ତି। ଧୋନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ଅଧିନାୟକ ଯିଏ ଭାରତ ପାଇଁ ୩ଟି ଆଇସିସି ଟ୍ରଫି ଜିତିଛନ୍ତି। ୨୦୧୧ ଏକଦିବସୀୟ ବିଶ୍ୱକପ୍‌ରେ ଧୋନୀ ଛକା ମାରି ଦଳକୁ ବିଜୟୀ କରାଇଥିଲେ। ଧୋନୀଙ୍କୁ ସର୍ବଦା ଟାର୍ଗେଟ୍‌ କରିଆସୁଥିବା ଗମ୍ଭୀର ଏଥର ତାଙ୍କୁ ପ୍ରଶଂସା କରୁଥିବା ଦେଖାଯାଇଛି।
ଗମ୍ଭୀର କହିଛନ୍ତି ଯେ, ଧୋନୀ ଦଳକୁ ଟ୍ରଫି ଜିତାଇବା ପାଇଁ ନିଜର ଅନ୍ତର୍ଜାତୀୟ ରନ ବଳିଦାନ ଦେଇଛନ୍ତି। ଧୋନୀ ତାଙ୍କ କ୍ୟାରିୟରରେ ଅଧିକ ରନ କରିପାରିଥାନ୍ତେ, କିନ୍ତୁ ସେ ଦଳକୁ ନିଜଠାରୁ ଆଗରେ ରଖିଥିଲେ। ଯଦି ସେ ଅଧିନାୟକ ହୋଇନଥାନ୍ତେ, ତେବେ ସେ ଭାରତର ତିନି ନମ୍ବର ବ୍ୟାଟ୍ସମ୍ୟାନ ହୋଇଥାନ୍ତେ। ସେ ଅଧିକ ରନ ସ୍କୋର କରିପାରିଥାନ୍ତେ କିନ୍ତୁ ସେ ଦଳକୁ ଆଗରେ ରଖି ପଛରେ ବ୍ୟାଟିଂ କରିବାକୁ ଆସୁଥିଲେ।
ଗମ୍ଭୀର ଅନେକ ଥର କହିଛନ୍ତି ଯେ, ବିଶ୍ୱକପ୍‌ର ଶ୍ରେୟ କେବଳ ଗୋଟିଏ ଛକା(ଧୋନୀଙ୍କ ଛକା)କୁ ଦିଆଯାଉଛି ଏବଂ ସମଗ୍ର ଦଳକୁ ନୁହେଁ।
ସୂଚନାଯୋଗ୍ୟ ଯେ, ଏଥର ଦିନିକିଆ ବିଶ୍ୱକପ ୨୦୨୩ ଭାରତ ଦ୍ୱାରା ଆୟୋଜିତ ହେବ। ଭାରତ ପୁଣି ଥରେ ଟ୍ରଫି ଜିତିବ ବୋଲି ଆଶା କରାଯାଉଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ବିଶ୍ୱକପ ଖେଳିବ। ବିଶ୍ୱକପ ପୂର୍ବରୁ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏସିଆ କପ ୨୦୨୩ ଟାଇଟଲ ଜିତିଛି।

Share