Categories: ଫୁରସତ

ପୋକ ଆକର୍ଷିତ କରିବା ଖେଳ

ଖେଳ, ମନୋରଞ୍ଜନ ସହ ମନ ଫୁର୍ତ୍ତି କରାଏ ଓ ଶରୀରକୁ ସୁସ୍ଥ ରଖେ। ପୃଥିତ୍ବୀରେ ଅନେକ ପ୍ରକାରର ଖେଳ ଅଛି। ତେବେ ବ୍ରିଟେନରେ ଏମିତି ଏକ ଖେଳ ଖେଳାଯାଏ ଯାହାକି ବେଶ୍‌ ଅଜବ। ଆମେ ସାଧାରଣତଃ ଯେଉଁ ପୋକଗୁଡିକ ଘରେ ପଶିଲେ ଅବିଳମ୍ବେ ବାହାରକୁ ଫିଙ୍ଗିଦେଉ ଏହି ଖେଳରେ ସେଗୁଡିକୁ ଯେକୌଣସି ଉପାୟ ଅବଲମ୍ବନ କରି ନିଜ ଆଡ଼କୁ ଆକର୍ଷିତ କରି ଆଣିବାକୁ ହୁଏ। ଏଥିପାଇଁ ପ୍ରତିଯୋଗିମାନଙ୍କୁ ବହୁତ କଷ୍ଟ କରିବାକୁ ପଡ଼େ। ଏହି ଖେଳର ନାମ ହେଉଛି ‘ଓ୍ବାର୍ଲଡ ଓ୍ବର୍ମ ଚାର୍ମିଂ ଚାମ୍ପିୟନଶିପ’। ଏହି ପ୍ରତିଯୋଗିତାରେ ପ୍ରତିଯୋଗିମାନଙ୍କୁ ଏକ ଘାସ ପଡ଼ିଆର ୨ ବର୍ଗ ମିଟର ଜାଗା ଦିଆଯାଏ। ପ୍ରତିଯୋଗୀମାନେ ଅଧଘଣ୍ଟା ଭିତରେ ପଡ଼ିଆର ସେହି ସ୍ଥାନରେ ଲୁଚି ରହିଥିବା ପୋକକୁ ବିଭିନ୍ନ ଟ୍ରିକ୍‌ ବ୍ୟବହାର କରି ଯେମିତିକି ପାଣି ଦେଇ, ନାଚ କରି, ଡ୍ରମ ବଜାଇ ନିଜ ଆଡ଼କୁ ଆକର୍ଷିତ କରିବାକୁ ଚେଷ୍ଟା କରନ୍ତି। ଏଥିରେ ପ୍ରତିଯୋଗିଙ୍କୁ ମାଟି ଖୋଳିବା ହତିଆର ବ୍ୟବହାର କରିବା ନିଷେଧ ଥାଏ। ସାଧାରଣତଃ ଭୂମି ଉପରର ଡିଆଁ ଡେଇଁର ଭାଇବେଶନ୍‌ରେ ମାଟି ଭିତରର ପୋକ ବାହାରକୁ ବାହାରି ଥାଆନ୍ତି। ତେଣୁ ସେଇଭଳି କିଛି ଟ୍ରିକ ପ୍ରତିଯୋଗୀମାନେ ବ୍ୟବହାର କରନ୍ତି। ପ୍ରତିଯୋଗିତାରେ ଯିଏ ଅଧିକ ପୋକ ମାଟିରୁ ବାହାର କରି ନିଜ ଆଡ଼କୁ ଆଣିପାରନ୍ତି ସେ ଜିତନ୍ତି। ପ୍ରତିଯୋଗିତା ସରିବା ପରେ ପୋକଗୁଡିକୁ ଛାଡି ଦିଆଯାଏ। ୧୯୮୦ରେ ଏହି ଖେଳ ପ୍ରଥମେ ଖେଳା ଯାଇଥିଲା।

Share