ଗାନ୍ଧୀ ଓ ଗଣତନ୍ତ୍ର

ଡ. ପ୍ରଫୁଲ୍ଲ କୁମାର ସାହୁ

 

ଭାରତୀୟ ମୁକ୍ତି ସଂଗ୍ରାମର ମହାନାୟକ ମହାତ୍ମା ଗାନ୍ଧୀ ଜଣେ ଧର୍ମପ୍ରାଣ ତଥା ଧର୍ମନିରପେକ୍ଷ ନୀତିନିଷ୍ଠ ସନ୍ଥ। କେବଳ ସନ୍ଥ ନୁହନ୍ତି, ସେ ଥିଲେ ଜଣେ ଅନୁଭୂତିସମ୍ପନ୍ନ ପ୍ରୟୋଗବାଦୀ ରାଜନୀତିଜ୍ଞ ଓ ବିପ୍ଳବୀ ଜନନାୟକ। ପିଲାଟିଦିନରୁ ତାଙ୍କୁ ପ୍ରଭାବିତ କରିଥିଲା ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ତ୍ୟାଗପୂତ ଜୀବନ ଓ ରାଜନୈତିକ ମୂଲ୍ୟବୋଧ। ତେଣୁ ସ୍ବାଧୀନତା ଆନ୍ଦୋଳନ ବେଳେ ସେ ଯେଉଁ ସ୍ବରାଜ୍ୟର ସ୍ବପ୍ନ ଦେଖିଥିଲେ, ତାହାହିଁ ଥିଲା ଏକ ରାମରାଜ୍ୟର ପରିକଳ୍ପନା। ରାମରାଜ୍ୟରେ ସୁ-ଶାସନ ଥିଲେ ବି ସେଥିରେ ନଥିଲା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା। ତେଣୁ ସେ ସାମାଜିକ ନ୍ୟାୟକୁ ଆଖି ଆଗରେ ରଖି ଆଙ୍କିଲେ ସ୍ବରାଜ୍ୟର ନକ୍ସା। ସେ ଜାଣିଥିଲେ ଗଣତନ୍ତ୍ର ହିଁ ସବୁଠାରୁ ଭଲ ଶାସନ ବ୍ୟବସ୍ଥା। ଗଣତନ୍ତ୍ରର ସଂଜ୍ଞା ପ୍ରଦାନ କରିବାକୁ ଯାଇ ସେ କହିଥିଲେ ପ୍ରତ୍ୟେକ ମଣିଷ ସମାନ ଓ ସ୍ବୟଂଶାସିତ ହେବା ପାଇଁ ସକ୍ଷମ ହେବାର ବିଶ୍ୱାସ ଓ ବ୍ୟବସ୍ଥା ହିଁ ଗଣତନ୍ତ୍ର। ସ୍ବରାଜ୍ୟର ବ୍ୟାଖ୍ୟା କରିବାକୁ ଯାଇ ସେ କହିଥିଲେ, ବିଦେଶୀ ଶାସନରୁ ମୁକ୍ତି କିମ୍ବା ମୁଷ୍ଟିମେୟ ଲୋକଙ୍କ କ୍ଷମତାପ୍ରାପ୍ତି କେବେ ସ୍ବରାଜ୍ୟ ନୁହେଁ, ଏହା ହେଉଛି ନେତା ଓ ଜନତାଙ୍କ ମଧ୍ୟରେ ପାରସ୍ପରିକ ନିର୍ଭରଶୀଳତା। ତାଙ୍କ ମତରେ ସ୍ବରାଜ୍ୟ ଏକ ବୈଦିକ ଶବ୍ଦ, ଯାହାର ଅର୍ଥ ନିଜ ଉପରେ ନିଜେ ଶାସନ କରିବା। ଆପଣଙ୍କ ଉପରେ ମୋର ଶାସନ କିମ୍ବା ମୋ’ ଉପରେ ଆପଣଙ୍କ ଶାସନ ନୁହେଁ, ଆମ ଉପରେ ଆମ ଶାସନ ହିଁ ସ୍ବରାଜ୍ୟ।
ଗାନ୍ଧୀଙ୍କ ବିଚାରଧାରାକୁ ଆଖି ଆଗରେ ରଖି ସମ୍ବିଧାନର ମୁଖବନ୍ଧରେ ସ୍ଥାପନ କରାଗଲା ସ୍ବାଧୀନତା, ସମାନତା ଓ ଭ୍ରାତୃତ୍ୱ ଆଦି ପ୍ରସଙ୍ଗ। ସମ୍ବିଧାନର ପ୍ରାଣବନ୍ତ ରୂପକାର ଡକ୍ଟର ବି. ଆର୍‌. ଆମ୍ବେଡକରଙ୍କ ବଳିଷ୍ଠ ନେତୃତ୍ୱରେ ସମ୍ବିଧାନ ସଭାରେ ଉପରୋକ୍ତ ତ୍ରିମୂର୍ତ୍ତି ସମ୍ପର୍କରେ ଆଲୋଚନା ହୋଇ ସର୍ବସମ୍ମତିକ୍ରମେ ଗୃହୀତ ହେବା ପରେ ମହାମତ୍ା ଗାନ୍ଧୀ କି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ଗୃହ। ଗଣତନ୍ତ୍ର ହେଉଛି ଏକ ପ୍ରତିନିଧିମୂଳକ ଉତ୍ତରଦାୟୀ ଶାସନ ବ୍ୟବସ୍ଥା। ଏହି ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ନିର୍ବାଚନ ପ୍ରକ୍ରିୟାର ଭୂମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ତେଣୁ ନିର୍ବାଚନ ପରିଚାଳନା ପାଇଁ ଗଢ଼ାହେଲା ନିର୍ବାଚନ ଆୟୋଗ। ଦେଶର ପ୍ରଥମ ନିର୍ବାଚନ ଆୟୁକ୍ତ ଥିଲେ ସୁକୁମାର ସେନ୍‌। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ଦୁଇଟି ସ୍ବଚ୍ଛ, ଅବାଧ ଓ ମୁକ୍ତ ନିର୍ବାଚନ। ପରବର୍ତ୍ତୀ ସମୟରେ ଦେଶର ଦଶମ ନିର୍ବାଚନ ଆୟୁକ୍ତ ଟି.ଏନ୍‌. ଶେଷାନ୍‌ (୧୯୯୦-୯୬) ଥିଲେ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନାର ପ୍ରତୀକ। ତାଙ୍କ ଦ୍ୱାରା ଅନୁସୃତ କାର୍ଯ୍ୟଧାରା ଓ ଶୈଳୀ କ୍ଷମତା କେନ୍ଦ୍ରର ଅସହ୍ୟ ହେବାରୁ ବଦଳିଲା ବ୍ୟବସ୍ଥା, ଯାହାର ପରିଣତି ସ୍ବରୂପ ବଢ଼ିଚାଲିଛି କଳାଟଙ୍କା ଓ ବାହୁବଳର ପ୍ରୟୋଗ। ଅଥଚ ନିର୍ବାଚନ ଆୟୋଗଙ୍କୁ ଘେରି ରହିଛି ଏକ ଶୀତଳ ଅଥର୍ବ ନୀରବତା।
ଗାନ୍ଧିଜୀ ଯେଉଁ ଗଣତନ୍ତ୍ରର ପରିକଳ୍ପନା କରିଥିଲେ, ତାହା ଥିଲା ଲୋକମତଙ୍କର ପ୍ରତିଷ୍ଠିତ ଏକ ସର୍ବୋତ୍ତମ ଶାସନ ବ୍ୟବସ୍ଥା। ସେଥିରେ ନଥିଲା ଲୋକଙ୍କୁ ଭଣ୍ଡେଇ, ତଣ୍ଡେଇ ବା ଭୟ ଦେଖେଇ ଶାସନ କରିବା ନୀତି। ସେଥିପାଇଁ ଉକତ୍ଳମଣି ଗୋପବନ୍ଧୁ ଦାସ ଲେଖିଥିଲେ- ଡରାଇ ଶାସିବା ନୀତି ଭାଙ୍ଗିଯିବ/ ପ୍ରଜାଙ୍କ ମତରେ ଶାସନ ଚାଲିବ/ ଏହି ନବଯୁଗ ଆଣିବା ସକାଶେ/ ଗାନ୍ଧୀ ରହିଛନ୍ତି ସିନା କାରାବାସେ। ଗାନ୍ଧିଜୀ କହୁଥିଲେ, ”ସ୍ବରାଜ୍ୟରେ ଚାଲିବ ଲୋକମାନଙ୍କର ଶାସନ। ଏଠାରେ ସାଧାରଣ ନାଗରିକଟିଏ ହେବ ଅସାଧାରଣ କ୍ଷମତାର ଅଧିକାରୀ।“ ପ୍ରୟୋଗଶାଳାରେ ତାହା ଏବେ ଏହା କେବଳ ଏକ ପୋଥିଗତ ଦୁଃଖଦ ଅନୁଭବ। ପ୍ରହସନରେ ପରିଣତ ହେଲାଣି ବିବେକାନୁମୋଦିତ ଭୋଟଦାନ ବ୍ୟବସ୍ଥା । ଗଣତନ୍ତ୍ର ମନ୍ଦିରକୁ କବ୍‌ଜା କରିନେଲେଣି ଭ୍ରଷ୍ଟାଚାରର ପ୍ରାୟୋଜକ, ଆୟୋଜକ ଓ ବାହୁବଳୀମାନେ।
ଗାନ୍ଧିଜୀଙ୍କ ମତରେ ଗଣତନ୍ତ୍ର କେବଳ ନିର୍ବାଚନ ସର୍ବସ୍ବ ନୁହେଁ, ଏହା ଏକ ନୈତିକ ବିଚାରଧାରା। ଏହା ଟେକିଥିବା ହାତ ଓ ପଡ଼ିଥିବା ହାତର ମୁଣ୍ଡଗଣତି କିମ୍ବା ୫୧ଓ ୪୯ର ନାଟକ ନୁହେଁ, ବରଂ ଏକ ଜୀବନଦର୍ଶନ। ଗଣତନ୍ତ୍ରରେ ନିର୍ବାଚନରେ ଜିତିବା ହାରିବା ବଡ଼କଥା ନୁହେଁ, ବଡ଼କଥା ହେଉଛି ରାଜନୈତିକ ଉଚ୍ଚାରଣ ଓ ଆଚରଣ ବା ଗଣତାନ୍ତ୍ରିକ ନୀତି ଓ ଆଦର୍ଶ ପ୍ରତି ଅଙ୍ଗୀକାରବଦ୍ଧତା। ପରସ୍ପରର ଦୃଷ୍ଟିକୋଣ ପ୍ରତି ସହନଶୀଳତା ଓ ପାରସ୍ପରିକ ବୁଝାମଣା ଭିତ୍ତିରେ ସମସ୍ୟାର ସମାଧାନ କରିବା ହେଉଛି ଗଣତନ୍ତ୍ରର ମୂଳକଥା। ତେଣୁ ଗଣତନ୍ତ୍ରର ଭାଷା ହେଉଛି ମୈତ୍ରୀର ଭାଷା। ସହଯୋଗ ଓ ସହାନୁଭବର ଭାଷା। ସମ ପର୍ଯ୍ୟାୟରେ ସମାନ ଆସନରେ ବସି ପରସ୍ପର ସହିତ ଅନ୍ତରଙ୍ଗ ଆଳାପ ହେଉଛି ଗଣତନ୍ତ୍ରର ଲକ୍ଷ୍ୟ। ଜଣେ ନେତା ନିଜ ଦଳର ବିଚାରର ବଳିଷ୍ଠତା ଓ ପ୍ରତିପକ୍ଷ ଦଳର ବିଚାରର ଅସାରତା ପ୍ରତିପାଦନ କରିବା ପାଇଁ ଶବ୍ଦର ତୀକ୍ଷ୍ଣ ଶର ପ୍ରୟୋଗ କରିପାରେ, କିନ୍ତୁ ଉଲ୍ଲଙ୍ଘନ କରିପାରିବନି ଭାଷାର ମର୍ଯ୍ୟାଦା। ଏହି ଦୃଷ୍ଟିରୁ ସ୍ବାଧୀନତା ପ୍ରାପ୍ତିର ପ୍ରାୟତଃ ଚାରି ଦଶନ୍ଧି ପର୍ଯ୍ୟନ୍ତ ରାଜନେତାମାନଙ୍କର ଆଚରଣ ଓ ଉଚ୍ଚାରଣ ଥିଲା ଖୁବ୍‌ ଉଚ୍ଚ ମାନର। ସେତେବେଳେ ଅଧିକାଂଶ ରାଜନେତା ଥିଲେ ସ୍ବାଧୀନତା ସଂଗ୍ରାମୀ ଓ ଗାନ୍ଧିବାଦୀ। ଗଣତାନ୍ତ୍ରିକ ମୂଲ୍ୟବୋଧ ଥିଲା ସେମାନଙ୍କ ବ୍ୟକ୍ତିତ୍ୱର ପରିଚୟ ଓ ପ୍ରତିଷ୍ଠା। ପ୍ରତିନିଧିସଭାରେ ସେମାନେ ପରସ୍ପର ବିରୋଧରେ ଅକାଟ୍ୟ ଯୁକ୍ତି ରଖୁଥିଲେ ସତ, କିନ୍ତୁ ସେମାନଙ୍କର ବିତର୍କ ଥିଲା ଖୁବ୍‌ ଉଚ୍ଚମାନର। ପରବର୍ତ୍ତୀ ସମୟରେ ନିର୍ବାଚନ ଅର୍ଥସର୍ବସ୍ବ ହୋଇପଡ଼ିବା କାରଣରୁ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ସାଙ୍ଗକୁ ସମଷ୍ଟିଗତ ଅହଂର ଉପଦ୍ରବରେ ନଷ୍ଟ ହେଲା ପ୍ରତିନିଧିସଭାର ସୁସ୍ଥ ପରମ୍ପରା। ସଂଖ୍ୟାର ଅହଂକାର ଓ ଔଦ୍ଧତ୍ୟ ବଳରେ ଚାପି ଦିଆଗଲା ଅଳ୍ପମତର ସ୍ବର। ଗାନ୍ଧିଜୀ କହିଥିଲେ, ବହୁମତର ଶାସନ ହେଉଛି ଏକ ମତ୍ତହସ୍ତୀ, ଯାହାର ଅଙ୍କୁଶ ହେଉଛି ବିରୋଧୀଙ୍କ ସମାଲୋଚନା। ତାଙ୍କ ମତରେ ”ଜଣେ ଅନ୍ୟର କଥାର କୌଣସି ସତ୍ୟ ସହ ଏକମତ ନ ହୋଇପାରେ, କିନ୍ତୁ ପ୍ରତିପକ୍ଷଙ୍କ କହିବାର ଅଧିକାରକୁ ସୁରକ୍ଷା ଓ ସମ୍ମାନ ଦେବା ତାଙ୍କର ନୈତିକ କର୍ତ୍ତବ୍ୟ।“ ଦୁର୍ଭାଗ୍ୟର ବିଷୟ, ଏବେ ସଂସଦରେ ବିନା ଆଲୋଚନାରେ ଗୃହୀତ ହେଉଛି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌। ସରକାରଙ୍କର କୌଣସି ଜନବିରୋଧୀ ନିଷ୍ପତ୍ତି ବିରୋଧରେ ସ୍ବର ଉଠେଇଲେ ଲଗେଇ ଦିଆଯାଉଛି ଦେଶଦ୍ରୋହୀର ମୋହର।
ଗାନ୍ଧିଜୀ ଯେଉଁ ରାମରାଜ୍ୟର ସ୍ବପ୍ନ ଦେଖିଥିଲେ, ତାହାଥିଲା ଏକ ଅହିଂସାଭିତ୍ତିକ ରାଷ୍ଟ୍ରର ପରିକଳ୍ପନା। ତାଙ୍କ ମତରେ ହିଂସା ହିଁ ଅନ୍ୟାୟ, ଅନୀତିର ମୂଳ କାରଣ। ଗ୍ରାମ ସ୍ବରାଜ୍ୟର ବ୍ୟାଖ୍ୟା କରିବାକୁ ଯାଇ ସେ କହିଥିଲେ, ପ୍ରତ୍ୟେକ ଗ୍ରାମ ହବ ସ୍ବୟଂସମ୍ପନ୍ନ ଓ ଭେଦଭାବରହିତ ତଥା ସତ୍ୟ, ଅହିଂସା ଶକ୍ତିର ବାହକ। ଏବେ କିନ୍ତୁ ଭୋଟ ରାଜନୀତିକୁ କେନ୍ଦ୍ର କରି ଗାଁକୁ ଘେରି ରହିଛି ହିଂସା ଓ ଅସହିଷ୍ଣୁତାର ବାତାବରଣ। ଗାନ୍ଧିଜୀ କହୁଥିଲେ ସ୍ବରାଜ୍ୟରେ ରହିବନି ନେତା ଓ ଜନତାଙ୍କ ଭିତରେ ଫରକ। ଅଥଚ ଲୋକପ୍ରତିନିଧିମାନେ ନିଜକୁ ଅସାଧାରଣ ବୋଲି ଭାବୁଛନ୍ତି, ସ୍ବତନ୍ତ୍ର ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି ଏବଂ ବିରାଟ ପଟୁଆରରେ ଯାଉଛନ୍ତି, ଯେମିତି ଯାଆନ୍ତି ରାଜା ମହାରାଜାମାନେ। ଦେଶରେ ଏବେ ବଢ଼ୁଛି ଧନୀ-ଦରିଦ୍ର ମଧ୍ୟରେ ଫରକ। ଅଥଚ ଧନ କୁବେରମାନଙ୍କୁ ମିଳୁଛି ଟିକସ ରିହାତି ଓ ଋଣଛାଡ଼ ସୁବିଧା। ଅନ୍ୟପକ୍ଷରେ ଦରିଦ୍ରମାନଙ୍କୁ ନିକମା କରି ରଖିବା ପାଇଁ କାର୍ଯ୍ୟକାରୀ ହେଉଛି ଭଳିକି ଭଳି ମାଗଣା ବଣ୍ଟା ଯୋଜନା।
ବହୁ ବାଦ, ମତବାଦ, ଗୋଷ୍ଠୀ ଓ ସମ୍ପ୍ରଦାୟର ଏକ ବିଚିତ୍ର ସମାହାର ହେଉଛି ଭାରତୀୟ ଗଣତନ୍ତ୍ର। ସେଥିପାଇଁ ସ୍ବାଧୀନତା ବହୁ ପୂର୍ବରୁ ଗାନ୍ଧିଜୀ କହିଥିଲେ, ସ୍ବରାଜ୍ୟ ହେବ ଏକ ସର୍ବଧର୍ମ ସମନ୍ବୟର ମଞ୍ଚ। ଏଠାରେ ଅସ୍ପୃଶ୍ୟତା ବୋଲି କିଛି ରହିବନି ଏବଂ ସମ୍ପୂର୍ଣ୍ଣ ନିବାରିତ ହେବ ନିଶା। ବିଡ଼ମ୍ବନାର ବିଷୟ, ରାଜସ୍ବ ଆୟ ବଢ଼େଇବା ପାଇଁ ଏବେ ସରକାରଙ୍କ ପାଇଁ ମଦ ସାଜିଛି ପ୍ରଗତି ରଥର ଘୋଡ଼ା। ସ୍ବାଧୀନତା ପୂର୍ବରୁ ସାମ୍ପ୍ରଦାୟିକ ବିଭେଦତାର ଯେଉଁ ମନସ୍ତାତ୍ତ୍ୱିକ ବୀଜ ବପନ କରାଯାଇଥିଲା, ତାହା ଏବେ ଡାଳପତ୍ର ମେଲି ପ୍ରସରି ଚାଲିଛି ସବୁ ପକ୍ଷଙ୍କ ସଯନତ୍ ପ୍ରୟାସରେ। ଅତଏବ ଭାରତ ଏବେ କେବଳ ଗଣତନ୍ତ୍ରର ମୁଖା ପିନ୍ଧିଛି, ଯେଉଁ ମୁଖା ତଳେ ଲୁଚିଛି ଦଳତନ୍ତ୍ର, ବ୍ୟକ୍ତିତନ୍ତ୍ର ଓ ଭୋଗତନ୍ତ୍ରର କଦର୍ଯ୍ୟ ଚେହେରା।
ଅବସରପ୍ରାପ୍ତ ଅଧ୍ୟକ୍ଷ
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri