Categories: ଜାତୀୟ

ଗାନ୍ଧୀ ପରିବାର ଆୟକର ମାମଲା: ସୁପ୍ରିମ୍‌କୋର୍ଟ ପହଞ୍ଚିଲେ ସୋନିଆ-ପ୍ରିୟଙ୍କା…

ନୂଆଦିଲ୍ଲୀ,୧୧।୭ : ଗାନ୍ଧୀ ପରିବାରର ଆୟକର ମୂଲ୍ୟାଙ୍କନ କେନ୍ଦ୍ରୀୟ ସର୍କଲକୁ ସ୍ଥାନାନ୍ତର ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ଏକ ଆବେଦନ କରିଛନ୍ତି। ସୋନିଆ ଏବଂ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିବାକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ମେ ୨୬ ରେ, ଦିଲ୍ଲୀ ହାଇକୋର୍ଟ ମୂଲ୍ୟାଙ୍କନ ମାମଲାକୁ କେନ୍ଦ୍ରୀୟ ସର୍କଲକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନକୁ ଖାରଜ କରିଦେଇଥିଲେ। ଜଷ୍ଟିସ ଡି.କେ ଶର୍ମା ଏବଂ ହାଇକୋର୍ଟର ଜଷ୍ଟିସ ମନମୋହନଙ୍କ ବେଞ୍ଚ ତାଙ୍କ ନିଷ୍ପତ୍ତିରେ କହିଥିଲେ ଆୟକର ବିଭାଗକୁ କେନ୍ଦ୍ରୀୟ ସର୍କଲକୁ ସ୍ଥାନାନ୍ତର କରିବାର ନିଷ୍ପତ୍ତି ଆଇନ ଅନୁଯାୟୀ ସମ୍ପୂର୍ଣ୍ଣ ଭାବେ ନିଆଯାଇଛି। ମାର୍ଚ୍ଚ ୧୫ରେ ହାଇକୋର୍ଟ ଏହି ମାମଲାର ଶୁଣାଣି ସମୟରେ ରାୟ ସଂରକ୍ଷିତ ରଖିଥିଲେ ଏବଂ ମେ ୨୬ରେ ଏହି ରାୟ ଶୁଣାଇଥିଲେ।

ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ୟଙ୍ଗ ଇଣ୍ଡିଆ, ସଞ୍ଜୟ ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ, ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ, ରାଜୀବ ଗାନ୍ଧୀ ଫାଉଣ୍ଡେଶନର ଅନୁସନ୍ଧାନ ପରେ ଆୟକର ବିଭାଗ ଗାନ୍ଧୀ ପରିବାରର ଆୟକର ମୂଲ୍ୟାଙ୍କନକୁ କେନ୍ଦ୍ରୀୟ ସର୍କଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଗାନ୍ଧୀ ପରିବାର ପକ୍ଷରୁ ଏହି ନିଷ୍ପତ୍ତିକୁ ମନମୁଖୀ କୁହାଯାଉଥିଲା ଏବଂ ଏହାକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା, କିନ୍ତୁ ଆୟକର ବିଭାଗର ନିଷ୍ପତ୍ତିକୁ ହାଇକୋର୍ଟ ସମର୍ଥନ କରିଥିଲେ। ବର୍ତ୍ତମାନ ସୋନିଆ ଏବଂ ପ୍ରିୟଙ୍କା ଗାନ୍ଧୀ ଏହା ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚି ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ଯାହାଦ୍ୱାରା ଗାନ୍ଧୀ ପରିବାରର ଆୟକର ମୂଲ୍ୟାଙ୍କନ କେନ୍ଦ୍ରୀୟ ସର୍କଲକୁ ଯିବ ନାହିଁ ।

Share